ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷାର ମାନବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକର୍ଷିତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଅଭିନବ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ୍ର ୪ଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଅଭିଯାନରେ ସାମିଲ କରାଯାଇଛି । ତେବେ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟକୁ ୫ଟି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇ ଅଧିକ ସ୍ମାର୍ଟ ଓ ଡିଜିଟାଲ କରିବାକୁ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ, ସ୍ଥାନୀୟ ଜନପ୍ରତିନିଧି ଏବଂ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ମୁନିନ୍ଦା ପଞ୍ଚାୟତ ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ, ସହକାରୀ ଶିକ୍ଷୟତ୍ରୀ କାଦମ୍ବିନୀ ଦାଶ, ନିବେଦିତା ତ୍ରିପାଠୀ, ଶିକ୍ଷକ ହରିଶ୍ ପଣ୍ଡା, କ୍ରିଡ଼ା ଶିକ୍ଷକ ନଟବର ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱମ୍ବର ବାରିକ ଓ ଛାତ୍ର ଆଲମିନି ଭାସ୍କର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ୫ଟି ଅଭିଯାନରେ ଏହି ବିଦ୍ୟାଳୟକୁ ରୂପାନ୍ତରୀକରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସରକାରଙ୍କ ଅନୁମୋଦନ ଅର୍ଥର ସୁବିନିଯୋଗ ତଥା ବିଦ୍ୟାଳୟର ପୂର୍ଣ୍ଣ ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ସରପଞ୍ଚ ଏହି ବିଦ୍ୟାଳୟର ପୁରାତନ ଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ ।