ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଇଂରାଜୀ ମାଧ୍ୟମ ଚିନ୍ମୟ ବିଦ୍ୟାଳୟର ୩୨ତମ ଦୁଇ ଦିନିଆ ବାର୍ଷିକୋତ୍ସବ ଚିନ୍ମୟବିଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶିକ୍ଷାବିତ୍ ଉପେନ୍ଦ୍ର ନାଥ ଷଡ଼ଙ୍ଗୀଙ୍କ ସଭାପତିବ ଓ ସାଧାରଣ ସମ୍ପାଦକ ରମାକାନ୍ତ ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାର କୁଳସଚିବ ପ୍ରଫେସର ରୋହନ ଧୀମାନ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଚିନ୍ମୟ ସେବା ଟ୍ରଷ୍ଟର ରାଉରକେଲା ସମ୍ପାଦକ ପୂଜ୍ୟ ସ୍ୱାମୀ କେବଳାନନ୍ଦଜୀ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ଶିକ୍ଷାର ଏକ ସାମାଜିକ ଆଭିମୁଖ୍ୟ ତଥା ଶିକ୍ଷା ଓ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟ ସହ ସଫଳତା ପଛରେ ଚେଷ୍ଟାର ଗୁରୁତ୍ଵ ଉପରେ ଉପାଦେୟ ଆଲୋଚନା କରିଥିଲେ । ଶାଶ୍ୱତୀ ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ବାର୍ଷିକ ବିବରଣୀ ପାଠ ସହ ବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଚିନ୍ମୟବିଭାର ଦ୍ୱିତୀୟ ଦିବସରେ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଚିନ୍ମୟ ମିଶନର ଆଞ୍ଚଳିକ ମୁଖ୍ୟ ସ୍ୱାମୀ ସଦାନନ୍ଦଜୀ, ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନ ରାଉରକେଲାର ସ୍ୱାମୀ ଅରୂପାନନ୍ଦଜୀ ଏବଂ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପଥ ପଦର୍ଶନ କରିବା ଅଭିଭାବକ ଓ ଗୁରୁଙ୍କର ଦାୟିତ୍ଵ ହେବା ସହ ଚିନ୍ମୟ ବିଦ୍ୟାଳୟରେ ଏକ ଆଧ୍ୟାତ୍ମିକ ପରିବେଶରେ ପାଠପଢ଼ା ଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିଶତପଥୀ ବିବରଣୀ ପାଠ ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତାର ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସ୍ୱର୍ଗତ ଦେବାନନ୍ଦ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସେହିପରି ଅଧ୍ୟକ୍ଷା ଶ୍ରୀମତୀ କବି ଶତପଥୀଙ୍କ ରଚିତ ନାଟକ ଗୁରୁଦକ୍ଷିଣା ଛାତ୍ରଛାତ୍ରୀଙ୍କ ଦ୍ଵାରା ମଞ୍ଚସ୍ଥ କରାଯାଇଥିଲା । ଶେଷରେ ତମଶା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତିଷ୍ଠାତା ସମ୍ପାଦକ ଅରବିନ୍ଦ ମିଶ୍ର, ଆଲୋକ ରଂଜନ ମଲ୍ଲିକ, ସୁବ୍ରତ ମହାପାତ୍ର, ବ୍ରହ୍ମଚାରିଣୀ ରୀଚା ଜୀ, ଆଲୋକ ମିଶ୍ର, ଅବିନୀ ପ୍ରଧାନ, ସୂର୍ଯ୍ୟମଣି ମହାନ୍ତି, ପ୍ରମୋଦ ପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
Prev Post
Next Post