ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା ପାଇଁ ଜୁନ୍‌ ପହିଲାରୁ ଭାରତ ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । ସେମାନଙ୍କୁ ଋଣ ସହାୟତା ଯୋଗାଇ ପୁନର୍ବାର ନିଜର ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି ।
ମଧ୍ୟପ୍ରଦେଶରେ ପିଏମ୍‌ ସ୍ୱନିଧି ଯୋଜନାରେ ୪.୫ ଲକ୍ଷ ଷ୍ଟ୍ରିଟ ଭେଣ୍ଡର ପଞ୍ଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷରୁ ଅଧିକଙ୍କୁ ପରିଚୟପତ୍ର ଓ ଭେଣ୍ଡର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ପଞ୍ଜୀକୃତଙ୍କ ମଧ୍ୟରୁ ଋଣ ପାଇଁ ଆବେଦନ କରିଥିବା ୨.୪୫ ଲକ୍ଷ ଭେଣ୍ଡରଙ୍କ ଆବେଦନପତ୍ରକୁ ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କକୁ ପଠାଇ ଦିଆଯାଇଛି । ପ୍ରଥମ ଦଫାରେ ସେଥିମଧ୍ୟରୁ ୧.୪ ଲକ୍ଷ ଆବେଦନକାରୀଙ୍କୁ ଋଣ ଆକାରରେ ୧୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନାରେ ସର୍ବାଧିକ ଆବେଦନପତ୍ର ଗ୍ରହଣ କରିଥିବା ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନା କାର୍ୟ୍ୟକ୍ରମ ଦେଖିବା ପାଇଁ ହିତାଧିକାରୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୭୮ଟି ପୌରସଂସ୍ଥା ପକ୍ଷରୁ ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଏଲ୍‌ଇଡି ସ୍କ୍ରିନମାନ ଲଗାଯାଇଛି । ଏହି କାର୍ୟ୍ୟକ୍ରମ ୱେବକାଷ୍ଟ ଜରିଆରେ ପ୍ରସାରିତ ହେବ । ସେଥିପାଇଁ ମାଇ ଗଭ୍‌ ଲିଙ୍କରେ ଆଗୁଆ ପଞ୍ଜୀକରଣ କରିବାକୁ ପଡିବ । ଏଥିପାଇଁ ଉଦ୍ଦିଷ୍ଟ ଲିଙ୍କ୍‌ ହେଲା- https://pmevents.ncog.gov.in/ ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବାରାଜ ଚୌହ୍ୱାନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ୟ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୩ ଜଣ ହିତାଧିକାରୀଙ୍କ ସହ ସେମାନଙ୍କ ଭେଣ୍ଡିଂ ସ୍ଥଳରୁ ଭର୍ଚୁଆଲ ବ୍ୟବସ୍ଥାରେ କଥାବାର୍ତ୍ତା କରିବେ ।

Leave A Reply

Your email address will not be published.