ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ : ୬୬ରନରେ ଜିତିଲା ଭାରତ

ପୁଣେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଏକଦିବସୀୟ ମ୍ୟାଚରେ ଭାରତ ଇଂଲଣ୍ଡକୁ ୬୬ରନରେ ପରାସ୍ତ କରିଛି । ଗତକାଲି ଇଂଲଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ବନ ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ରୋହିତ ୨୮ରନ କରି ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି, ଶିଖର ଧଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଧଓ୍ବନ ୯୮ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । କୋହଲି ୫୬ ରନ କରିଥିଲେ । ଶେଷ ଓଭର ଗୁଡ଼ିକରେ କେ.ଏଲ.ରାହୁଲ ଓ କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୦୦ ପାର କରାଇଦେଇଥିଲେ । ରାହୁଲ ୪୩ ବଲରେ ୬୨ ଓ ପାଣ୍ଡ୍ୟା ବଲରେ ୫୮ ରନ କରିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୧୭ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩ଟି ଓ ମାର୍କ ଉଡ୍ ୨ଟି ଓ୍ବିକେଟ ନେଇଥିଲେ । ଭାରତ ପକ୍ଷରୁ ଧାର୍ୟ୍ୟ ୩୧୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ୪୨.୧ ଓଭରରେ ୨୫୧ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ପରାଜୟର ସମ୍ମୁଖୀନ ହୋଇଛି । ଜାସନ ରଏ ୪୬ ରନ କରିଥିବାବେଳେ ଜନି ବେୟାରଷ୍ଟୋ ୯୪ ରନ କରିଥିଲେ । ମୋଇନ ଅଲି ୩୦ରନ କରିଥିବାବେଳେ ଇଅନ ମୋର୍ଗାନ ୨୨ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ କ୍ରିଷ୍ଣା ୫୪ ରନ ଦେଇ ୪ଟି ଓ୍ବିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.