ପାକିସ୍ତାନରେ ଜଣେ ୧୨ ବର୍ଷର ନାବାଳିକା‌ଙ୍କୁ ଜୋର୍‌ ଜବର୍‌ଦସ୍ତ ବିବାହର ଦୁଃଖଦ କାହାଣୀ

ଫଇସଲାବାଦ‌ : ପାକିସ୍ତାନରେ ଜଣେ ୧୨ ବର୍ଷର ଖ୍ରୀଷ୍ଟିଆନ ନାବାଳିକା‌ଙ୍କୁ ଜୋର୍‌ ଜବର୍‌ଦସ୍ତ ବିବାହର ଦୁଃଖଦ କାହାଣୀ ଖୁବ୍‌ ଚ‌ର୍ଚ୍ଚାକୁ ଆସିଛି । ପାକିସ୍ତାନର ଜଣେ ୧୨ ବର୍ଷର ଖ୍ରୀଷ୍ଟିଆନ ଝିଅ ଫରାହ କହିଛନ୍ତି ଯେ, ଗତ ବର୍ଷ ଗ୍ରୀଷ୍ମ ଋତୁରେ ତାଙ୍କୁ ଅପହରଣ କରି ବନ୍ଧକ ରଖାଯାଇଥିଲା ଏବଂ ମୁସଲମାନ ଧର୍ମାନ୍ତରୀକରଣ କରି ଜଣେ ଅପହରଣକାରୀଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା ।

ପାକିସ୍ତାନରେ ରହୁଥିବା ହଜାର ହଜାର ଖ୍ରୀଷ୍ଟିଆନ, ହିନ୍ଦୁ ଏବଂ ଶିଖ୍‌ ମହିଳାଙ୍କୁ ପ୍ରତିବର୍ଷ ଏଭଳି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡେ଼ । ୨୫ ଜୁନ୍‌ରେ, ଫରାହ ତାଙ୍କ ଜେଜେବାପାଙ୍କ ସହ ଫଇସଲାବାଦରେ ଥିଲେ । ଘରେ ତାଙ୍କର ତିନି ଭାଇ ଏବଂ ଦୁଇ ଭଉଣୀ ମଧ୍ୟ ଥିଲେ । ତା’ପରେ କେହି ଜଣେ କବାଟ ବାଡେଇଲେ । ଫରାହ ମନେ ରଖିଛନ୍ତି ଯେ, ତାଙ୍କ ଜେଜେବାପା କବାଟ ଖୋଲିବାକୁ ଯାଇଥିଲେ, ସେହି ସମୟରେ ତିନିଜଣ ଲୋକ ତାଙ୍କୁ ଉଠାଇ ଏକ ଭ୍ୟାନରେ ବସିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ପାକିସ୍ତାନର ଜନସଂଖ୍ୟା ଦୃଷ୍ଟିରୁ ତୃତୀୟ ବୃହତ୍ତମ ସହର ଫଇସଲାବାଦରେ ଘଟିଥିଲା ।

ସେତେବେଳେ ଫରାହଙ୍କ ପିତା ଆସିଫ କାମ କରିବାକୁ ଯାଇଥିଲେ । ଆସିଫ ସ୍ମରଣ କରନ୍ତି, ସେହି ଲୋକମାନେ ଧମକ ଦେଇଥିଲେ ଯେ ଯଦି ଆମେ ଝିଅକୁ ଫେରାଇବାକୁ ଚେଷ୍ଟା କରିବୁ, ତେବେ ଏହାର ପରିଣାମ ଖରାପ ହେବ । ବାପା ଆସିଫ ନିକଟ ପୋଲିସ ଷ୍ଟେସନକୁ ଯାଇ ଏହି ଅପରାଧ ବିଷୟରେ ସୂଚନା ଦେଇଥିଲେ । ସେ ଜଣେ ଅପହରଣକାରୀଙ୍କ ନାମ ମଧ୍ୟ ଦେଇଥିଲେ। ଏହାକୁ ଫରାହଙ୍କ ଜେଜେବାପା ଚିହ୍ନଟ କରିଥିଲେ ।

ଆସିଫ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ତାଙ୍କ ମାମଲାରେ କୌଣସି ଆଗ୍ରହ ଦେଖାଇ ନଥିଲେ । ସେମାନେ ଆଦୌ ସହଯୋଗ କରୁନଥିଲେ । ସେମାନେ ମାମଲା ଦାୟର କରିବାକୁ ମନା କରିଦେଇଥିଲେ । ତାଙ୍‌କୁ ଠେଲାପେଲା କରି ଦୁର୍ବ୍ୟବହାର ମଧ୍ୟ କରିଥିଲେ ।

Leave A Reply

Your email address will not be published.