
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ପଞ୍ଚାୟତ ଧର୍ମଶାଳାଠାରେ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମଞ୍ଚର ଉପସଭାପତି ବିଜୁ ଆଦପୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସେବକ ଚରଣ ଦାଶ ମୁଖ୍ୟ ଅତିଥି, ପୂର୍ବତନ ସଭାପତି ମନବୋଧ ଜୈନ, ରାଜୀବଲୋଚନ ଗାନ୍ଧୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମଞ୍ଚର ସଭାପତି ଶ୍ରୀ ଆଦପୁରିଆ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ୨ କି.ମି. ଦୂରକୁ ସ୍ଥାନାନ୍ତରିତ କରିବା ଏବଂ ବରିଷ୍ଠ ନାଗରିକ ତଥା ୧୦ ହଜାର ଭିନ୍ନକ୍ଷମ/ସାଧାରଣଙ୍କୁ କୌଣସି ସୁବିଧା ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ । ଏଥିପାଇଁ ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ସ୍ଥାନୀୟ ବିଧାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ପୂର୍ବରୁ ଡାକ୍ତରଖାନାକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଗଲେ ଟିଟିଲାଗଡ଼ ଜନସାଧାରଣ ଉପକୃତ ହେବେ ବୋଲି ମତ ।ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ସେବକ ଚରଣ ଦାଶ ବରିଷ୍ଠ ନାଗରିକ ସଙ୍ଘ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମିଳିମିଶି ଏହା ଦୂର କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ । “ଏକତା ହିଁ ସଙ୍ଗଠନର ମୂଳଭିତ୍ତି” ବୋଲି କହି ନିଜ ନିଜ ମଧ୍ୟରୁ ଭ୍ରାତୃଭାବକୁ କାଏମ ରଖିବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ସମ୍ମାନକୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସହ ସରକାର ସେମାନଙ୍କୁ ରେଳଭଡ଼ା, ବସ୍ ଭଡ଼ା ଆଦି କ୍ଷେତ୍ରରେ ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ଆୟୁଷ୍ମାନ କାର୍ଡ଼ ୭୦ ବର୍ଷ ବୟସରୁ ନକରି ୬୦ ବର୍ଷରୁ ଲାଗୁ କରାଗଲେ ବରିଷ୍ଠମାନେ ଉପକୃତ ହେବେ ବୋଲି ସମ୍ମାନିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗୁଲାବଚନ୍ଦ୍ର ପଟ୍ଟଯୋଶୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ସତ୍ୟନାରାୟଣ ପୃଷ୍ଟି ଆଦି ସମାଜରେ ବରିଷ୍ଠ ନାଗରିକ ମାନଙ୍କ ଦାୟିତ୍ୱ ଅସନ୍ତୁଳିତ ହେଉଥିବା ସମ୍ପର୍କରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଗୋଲାପ ଫୁଲଦେଇ ସ୍ୱାଗତ କରାଯାଇଥିଲା । ସଭାର ଉଦ୍ଦେଶ୍ୟ ବିଷୟରେ ହରୀଶ ନାରାୟଣ ମହାପାତ୍ର, ବର୍ଦ୍ଧମାନ ବାଲିସାୟୀ ପ୍ରଭୃତି ଆଲୋକପାତ କରିଥିବା ବେଳେ ଉପସଭାଧ୍ୟକ୍ଷ ନିତ୍ୟପ୍ରସାଦ ବେହେରା ସଭା ପରିଚାଳନା କରିଥିଲେ ଓ ବୁଦ୍ଧଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ସାହୁ ୭୫ ବର୍ଷ ବୟସ ଅତିକ୍ରମ କରିଥିବାରୁ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅକ୍ଷୟ କୁମାର ବେହେରା, ଗଙ୍ଗାଧର ମହାପାତ୍ର, ତ୍ରିଲୋଚନ ବେହେରା, ପ୍ରଫୁଲ୍ଲ ପ୍ରଧାନ ପୁରୋହିତ, ସର୍ବେଶ୍ୱର ସାହୁ, ଉମାଶଙ୍କର ଦାଶ, ଉତ୍ତମ ଛତ୍ରପାଳ, ରାଧାନାଥ ମିଶ୍ର, ସଦାନନ୍ଦ ପୁରୋହିତ, ଅନୁକୂଳ ସାହୁ ମାଲପଡ଼ା, ସୁରେଶ ଚନ୍ଦ୍ର ଦାସ ପ୍ରଭୃତି ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।