ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ

csstore

ଗୋପାଳପୁର, ବାଲେଶ୍ୱର : ଅନନ୍ତକୋଟି ବ୍ରହ୍ମାଣ୍ଡ ନାୟକ ଅଖିଳବ୍ରହ୍ମାଣ୍ଡ ସ୍ୱାମୀ ସାରା ବିଶ୍ୱବାସୀ ତଥା ଅସଂଖ୍ୟ କୀଟପତଙ୍ଗ, ପଶୁପକ୍ଷୀଙ୍କ ହର୍ତ୍ତାକର୍ତ୍ତା, ଦଇବ ବିଧାତା ମହାପ୍ରଭୁ ଅନାଥର ନାଥ, ଦୀନବନ୍ଧୁ, ଜଗତର ନାଥ ଜଗନ୍ନାଥଙ୍କ ମହିମା ବଣ୍‌ର୍ଣ୍ଣାନା କରିବା ଆମ ପରି ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ । ମହାପ୍ରଭୁ କାଳିଆ ସାଆନ୍ତଙ୍କ ଲୀଳା ଅବର୍ଣ୍ଣନୀୟ । ସେ ନିଜେ ହିଁ ନିଜର ସ୍ରଷ୍ଟା ନା ତାଙ୍କର ଆଦି ଅଛି ନା ତାଙ୍କର ଅନ୍ତ ଅଛି । ମହାପ୍ରଭୁ କେତେବେଳେ କାହା ମାଧ୍ୟମରେ କେଉଁ ରୂପରେ କାହାକୁ ସାହାଯ୍ୟ କରିବେ ଏହା କେବଳ ତାଙ୍କୁ ହିଁ ଜଣା । ତାଙ୍କର ବିନା ଇଙ୍ଗିତରେ ଗଛର ପତ୍ରବି ହଲିନଥାଏ । ସେଥିପାଇଁ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ରଥର ସାରଥୀ ସାଜି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମୋହଗସ୍ଥ ଅର୍ଜୁନ ବୁଝାଇ କହିଛନ୍ତି । “କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତିନାହିଁ” । ଏହାର ଅର୍ଥ ଏ ବିଶ୍ୱବ୍ରହ୍ମାଣ୍ଡରେ ଆମେ ଯାହାବି କର୍ମ କରିଥାଉ ସେଥିରେ ଭଗବାନଙ୍କ କିଛି ମହତ ଉଦ୍ଦେଶ୍ୟ ରହିଥାଏ । ମନୁଷ୍ୟ ନିଜର କର୍ମ ଅନୁସାରେ ଫଳ ଭୋଗିଥାଏ । ମନୁଷ୍ୟ ନିଜର ଇଛା ଅନୁସାରେ କିଛି ବି କର୍ମ କରିବା ଅସମ୍ଭବ । ମହାପ୍ରଭୁ ଚକାଡୋଳାଙ୍କ କୃପା ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ । କିନ୍ତୁ ଏକବିଂଶ ଶତାବ୍ଦୀର କିଛି ମନୁଷ୍ୟ ପୁଳା ପୁଳା ଟଙ୍କା, ବାଟି ବାଟି ସମ୍ପତ୍ତି, ମାନ, ପ୍ରତିଷ୍ଠା ଅର୍ଜନ କରି ଅହଂକାରରେ ବଶବର୍ତ୍ତୀ ହୋଇ ଅନ୍ୟାୟ, ଅନୀତି, ଦୁର୍ନୀତିରେ ଲିପ୍ତ ରହେ ଏବଂ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଚି଼ହ୍ନ ଲଗାଇଥାଏ ।
ନିଜର ଅହମିକା ତଥା ଅହଂକାର ବଶବର୍ତ୍ତୀ ହୋଇ ମନୁଷ୍ୟ ନିଜକୁ ସର୍ବଶକ୍ତିମାନ, ମହାଜ୍ଞାନୀ ମନେକରୁଛି । ଅର୍ଥକୁ ନିଜର ପ୍ରଧାନ ଅସ୍ତ୍ର ଭାବିନେଇଛି ଏବଂ ଅର୍ଥ ବଳରେ ବଳିୟାନ ହୋଇ ଜୀବନରେ ସବୁକିଛି ପାଇଯିବ ଏହା ମନୁଷ୍ୟ ଭାବି ନେଇଛି । ବସ୍ତୁବାଦୀ କଳିଯୁଗର ମନୁଷ୍ୟ ପକ୍ଷେ ସ୍ନେହ, ପ୍ରେମ, ମମତା, ଆବିଳତା, ନମ୍ରତା, ଉଦାରତା, ସରଳତା ପରି ମହନୀୟ ଗୁଣ ଆଶା କରିବା ଶଇତାନର ବେଦ ପାଠ ସଦୃଶ । ସାମାନ୍ୟ ସମ୍ପତ୍ତି ଆଉ କିଛି ଟଙ୍କା ପାଇଁ ନିଜର ଜନ୍ମଦାତା ତଥା ଜନ୍ମଦାତ୍ରୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ ଆଜିର ସ୍ୱାର୍ଥପର ମନୁଷ୍ୟ । ବସ୍ତୁବାଦୀ ମନୁଷ୍ୟ ରଙ୍ଗୀନ ଦୁନିଆର ମାୟାଜାଲରେ ଛନ୍ଦି ହୋଇ ନିଜର ତଥା ନିଜ ପରିବାର, ପତ୍ନୀ, ସନ୍ତାନ, ବନ୍ଧୁ, ପରିଜନକୁ ନିଜର ମନେକରୁଛି ଏବଂ ଈଶ୍ୱରଙ୍କ ଠାରୁ ଦୁରେଇଯାଉଛି । ଈଶ୍ୱରଙ୍କ ଆରାଧନା କରିବା, ପ୍ରାର୍ଥନା କରିବା, ଆଜିର ବସ୍ତୁବାଦୀ ଦୁନିଆରେ ମନୁଷ୍ୟ ପାଖରେ ସମୟ ନାହିଁ । କିନ୍ତୁ ମାଦକଦ୍ରବ୍ୟ, ନିଶା ସେବନ କରିବା ପାଇଁ ତା ପାଖରେ ଯଥେଷ୍ଟ ସମୟ ଅଛି । ଆଜିର ସ୍ୱାର୍ଥପର ବସ୍ତୁବାଦୀ ଦୁନିଆରେ ମନୁଷ୍ୟ ନିଜର ବନ୍ଧୁ, ପରିଜନ, ପତ୍ନୀ, ସନ୍ତାନ, ଆତ୍ମୟସୁଜନକୁ ନିଜର ପ୍ରାଣଠାରୁ ଅଧିକ ଭଲପାଏ ଏବଂ ସେମାନଙ୍କୁ ଅତି ନିଜର ମନେକରେ । ସେଇମାନେ ବିପଦ ସମୟରେ ହାତଛାଡି ଦିଅନ୍ତି ଯେତେବେଳେ ସେମାନଙ୍କ ସ୍ୱାର୍ଥରେ ବାଧା ଆସେ । ସେମାନେ ହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି “ସମ୍ପଦ ବେଳେ ସର୍ବେ ଶାଖା ବିପଦେ ନଦିଅନ୍ତି ଦେଖା” । “ମିଛ ମାୟା ସଂସାର ଏଠି କେହି ନୁହେଁ କାହାର ଏକା ଚକାଆଖି ନିଜର” ।
ଦ୍ୱାପର ଯୁଗ ସମୟରେ ପାଣ୍ଡବମାନେ କୌରବଙ୍କ ଠାରୁ ଜୁଆ ଖେଳରେ ହାରିବା ପରେ କୁରୁସଭା ସ୍ଥଳରେ କୌରବମାନେ ଯେପରି ଦ୍ରୌପଦୀଙ୍କ ବସ୍ତ୍ରହରଣ କଲେ ସେତେବେଳେ ଦ୍ରୌପଦୀ ସମସ୍ତଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କଲେ ହେଲେ ଗଙ୍ଗା ପୁତ୍ର ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଗୁରୁ ଦ୍ରୌଣାଚାର୍ଯ୍ୟ, ପଞ୍ଚପାଣ୍ଡବ, ଦ୍ରୁତରାଷ୍ଟ୍ର ପର୍ଯ୍ୟନ୍ତ ସମସ୍ତେ ନିରବ ରହିଲେ କେହି ଜଣେ ହେଲେ ବି ଏ ଅନ୍ୟାୟର ପ୍ରତିବାଦ କଲେନାହିଁ । ସେତେବେଳେ ନିରୁପାୟ ହୋଇ ଦ୍ରୌପଦୀ ସମ୍ପୂର୍ଣ୍ଣ ସମର୍ପିତ ଭାବରେ “ବାସୁଦେବ ଶ୍ରୀକୃଷ୍ଣ ମୋର ଲଜ୍ୟା ନିବାରଣ କରନ୍ତୁ ବୋଲି ଆକୁଳ ନିବେଦନ କଲେ ସେତେବେଳେ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କୋଟି ବସ୍ତ୍ର ଦେଇ ଦ୍ରୌପଦୀଙ୍କ ଲଜ୍ୟା ନିବାରଣ କଲେ ।
ଚାରିଯୁଗରେ ମହାପ୍ରଭୁ କାଳିଆ ସାଆନ୍ତ ମାନବ ସମାଜକୁ ଈଶ୍ୱରୀୟ ବାର୍ତ୍ତା ପ୍ରଦାନ କରିଛନ୍ତି । ଭକ୍ତର ମାନକୁ ସର୍ବାଗ୍ରେ ରଖିବା ପାଇଁ କେତେ ନିନ୍ଦା, ଅପମାନ, ତିରସ୍କାର, ମାଡ଼ ଭି ସହିଛନ୍ତି ପୁଣି କେତେବେଳେ ଅର୍ଜୁନଙ୍କ ରଥରେ ସାରଥୀ ସାଜିଛନ୍ତି, ଶୁଦ୍ର ଜାତିରେ ଜନ୍ମ ହୋଇଥିବା ଶବରୀର ଅଇଠା ଖାଇବାରେ କୌଣସି ସଂକୋଚ ପ୍ରକାଶ କରିନାହାନ୍ତି ଏବଂ ବାଲ୍ୟସଖା ସୁଦାମାକୁ ଭେଟ କରିବା ପାଇଁ ରାଜସିଂହାସନ ଛାଡି ନିଜେ ରାଜା ହୋଇ ଖାଲି ପାଦରେ ବିନା ସୈନ୍ୟସାମନ୍ତରେ ଦିନହୀନ ସୁଦାମାଙ୍କ କାଳବିଳମ୍ବ ନକରି ପହଞ୍ଚିଯାଇଥିଲେ ଏବଂ ସେ ଆଣିଥିବା ଖୁଦଭଜା ଅତି ଆନନ୍ଦରେ ସେବନ କରିଥିଲେ । ସେଥିପାଇଁ ଭଗବାନ ସଦାସର୍ବଦା ନିଜର ଭକ୍ତକୁ ଖୁସି କରେଇବା ପାଇଁ ସବୁକିଛି କରନ୍ତି ସେଥିପାଇଁ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅନ୍ୟନାମ କୃପାସିନ୍ଧୁ ।
ମହାପ୍ରଭୁ କାଳିଆ ସାଆନ୍ତ ଭକ୍ତର ତିରସ୍କାର, ନିନ୍ଦା, ଅପମାନ ସହ୍ୟ କରନ୍ତି କିନ୍ତୁ କାହାରି ଅହମିକା, ଅହଂକାର ସହ୍ୟ କରିପାରନ୍ତି ନାହିଁ । ସେଥିପାଇଁ କୁହାଯାଏ “ଗର୍ବ ଗଞ୍ଜନ୍ତି ନରହରି, ଗର୍ବ ନସହନ୍ତି କାହାରି” ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାରେ ଅନେକ ସାଧାରଣ ମନୁଷ୍ୟକୁ ଆଚମ୍ବିତ କଲା ପରି ଘଟଣାମାନ ଘଟିବାରେ ଅନେକ ପ୍ରମାଣ ମିଳେ । ଭକ୍ତର ମାନ ରକ୍ଷା ପାଇଁ କେତେବେଳେ ଭଗବାନ ବଳରାମ ଦାସଙ୍କ ବାଲି ରଥରେ ବିଜେ କରିଛନ୍ତି ତ କେତେବେଳେ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ ଭକ୍ତ ଜଗନ୍ନାଥ ଦାସଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଛନ୍ତି ତ ଆଉ କେତେବେଳେ ଭକ୍ତର ଭୋକ ଦୂରପାଇଁ ନିଜକୁ ଅର୍ପିତ ସୁନାଥାଳିର ଦିବ୍ୟଅନ୍ନ ପ୍ରଦାନ କରିଛନ୍ତି ଭକ୍ତ ବନ୍ଧୁ ମହାନ୍ତିଙ୍କ ହାତରୁ ଦୂରରେ ଥାଇ ଏବଂ ଭକ୍ତ ଦାସିଆ ବାଉରୀର ନଡ଼ିଆକୁ ଶ୍ରଦ୍ଧା ପୂର୍ବକ ଗ୍ରହଣ କରିଛନ୍ତି ବଡ଼ଠାକୁର କାଳିଆ ସାଆନ୍ତ ନିଜର ମହାବାହୁ ବଢ଼ାଇ । ଗୀତଗୋବିନ୍ଦ ଶୁଣିବା ପାଇଁ ସୁଦୂର ପଲ୍ଲୀରେ ବାଇଗଣ ତୋଳୁଥିବା ଅବସ୍ଥାରେ ଗୀତଗୋବିନ୍ଦ ବୋଲୁଥିବା ବୁଢ଼ୀର ବାଇଗଣ କିଆରୀରେ ହାଜର ହୋଇଛନ୍ତି । ଇନ୍ଦ୍ରଙ୍କ ପରି ଦେବତାଙ୍କ ଠାରୁ ଆରମ୍ଭ କରି ମହାମୁନି ନାରଦ ପର୍ଯ୍ୟନ୍ତ ଅନେକଙ୍କ ଅହଂକାରକୁ ଭଙ୍ଗ କରିଛନ୍ତି ମହାପ୍ରଭୁ କାଳିଆ ଠାକୁର । ଗର୍ବୀର ଗର୍ବ ଚୁର୍ଣ୍ଣ ପାଇଁ କେତେବେଳେ ଅଟକି ରହନ୍ତି ସେ ମହାପ୍ରଭୁ ରଥ ଉପରେ । କେତେବେଳେ ଭକ୍ତ ହାତରେ ସ୍ପର୍ଶ ପାଇଁ ମାନ ଭାଙ୍ଗନ୍ତି “ମାନଗୋବିନ୍ଦ” ।
ମହାପ୍ରଭୁ କାଳିଆ ସାଆନ୍ତଙ୍କ ଲୀଳା ବୁଝିବା ଆମ ପରି ସାଧାରଣ ଅଜ୍ଞାନୀ ମନୁଷ୍ୟ ପାଖେ ଅସମ୍ଭବ । ସେ ଭାବର ନିକଟ, ଅଭାବକୁ ଦୂର । ଯିଏ ତାଙ୍କୁ ଯେପରି ଭାବରେ ଆରାଧନା, ଶ୍ରଦ୍ଧା କରିଛି ସେପରି ତାଙ୍କୁ ପାଇଛି । ଯିଏ ତାଙ୍କୁ ଯେଉଁ ରୂପରେ (ନିଜର ଇଷ୍ଟ ଭାବରେ ଦେଖିବାକୁ ଚାହିଁଛି ସେ ସେହି ରୂପରେ ଦେଖିବାକୁ ପାଇଛି । ସିଏ ପରା ଭାବଗ୍ରାହୀ, କରୁଣାସିନ୍ଧୁ, ଅନାଥର ନାଥ ଦୀନବନ୍ଧୁ କାଳିଆ ଠାକୁର ଜଗତର ନାଥ ଜଗନ୍ନାଥ ।
ସାଲବେଗ ଯୁବକ ଅବସ୍ଥାରେ ଏକଦା ଭୀଷଣ ଭାବରେ କ୍ଷତାକ୍ତ ଓ ପୀଡିତ ହୋଇଥିଲେ । ଯେତେ ମେଡ଼ିସିନ ଲଗାଇଲେ ମଧ୍ୟ କ୍ଷତର ଉପଶମ ହେଲାନାହିଁ । ନିଜ ମାଙ୍କ ପରାମର୍ଶ କ୍ରମେ ବୃନ୍ଦାବନ ବିହାରୀ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା କରି ବ୍ୟାଧିମୁକ୍ତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ କରୁଣାରୁ ମୃତ୍ୟୁମୁଖରୁ ରକ୍ଷା ପାଇଥିବାରୁ ନିଜର ସମଗ୍ର ଜୀବନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ସମର୍ପଣ ପୂର୍ବକ ସନ୍ୟାସୀ ଜୀବନଯାପନ କରିବାକୁ ପ୍ରତିଜ୍ଞା କରିଥିଲେ । ତେଣୁ ସେ ଗାଇ ଉଠିଥିଲେ” ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ” ।
ଏ କଳିଯୁଗରେ ବିଶ୍ୱର ସର୍ବଶେଷ୍ଠ ଜୀବନ୍ତ ଦେବତା ଦାରୁବ୍ରହ୍ମ ଜଗତର ନାଥ ପରମବ୍ରହ୍ମ ବଡ଼ ଠାକୁର ଜଗନ୍ନାଥ । ତାଙ୍କ ଲୀଳା ଅତ୍ୟନ୍ତ ଚମତ୍କାର ଏବଂ ରହସ୍ୟମୟ । ଆମ ପରି ସାଧାରଣ ମନୁଷ୍ୟ ତାଙ୍କ ଲୀଳାକୁ ବୁଝିବା ଅସମ୍ଭବ । ସେ ସୃଷ୍ଟିକର୍ତ୍ତା, ପ୍ରାଣଦାତା, ଏ ଅଖିଳବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା, ହର୍ତ୍ତାକର୍ତ୍ତା, ଜଗତର ଜମିଦାର ଆମେ ତାଙ୍କର ପ୍ରଜା । ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କାଳିଆ ସାଆନ୍ତ ଅସୀମ ବିଶ୍ୱବ୍ରହ୍ମାଣ୍ଡର ଜୀବନ୍ତ ଦେବତା । ସେ ପରବ୍ରହ୍ମ, ପୁରୁଷୋତ୍ତମ ସର୍ବବ୍ୟାପି, ସାର୍ବଭୋମ୍ୟ, ନିରାକାର । ତାଙ୍କର ଆରମ୍ଭ ନାହିଁ କି ଅନ୍ତ ନାହିଁ । ସେ ଅନାଦି ସେ ଅଶେଷ । ପୁଣି ତାଙ୍କର ଯେଉଁ ଦୁଇଟି ବାହୁର କଳ୍ପନା କରାଯାଇଛି ତାହା ସମାନ୍ତରାଳ । ଦୁଇ ସମାନ୍ତରାୟ ସରଳ ଲେଖାରେ ମିଳନ ଏକ ଅନନ୍ତ ବିନ୍ଦୁରେ । ଜଗନ୍ନାଥଙ୍କ ପରମ ଓ ଚରମ ସତ୍ତ୍ୱ ସେହି ସେହି ଅନନ୍ତ ବିନ୍ଦୁରେ ହିଁ ଉପଲବ୍ଧି କରିହୁଏ । ସେ ଅରୂପ ପୁଣି ସ୍ୱରୂପ । ସେ ନିର୍ଗୁଣ ପୁଣି ସଗୁଣ ।
ବହୁ ରୂପରେ ତାଙ୍କର ପରିକଳ୍ପନା । ବିଶ୍ୱର ତେତିଶି କୋଟି ଦେବାଦେବୀଙ୍କ ମଧ୍ୟରେ ଜଗନ୍ନାଥଙ୍କର ନୀତିକାନ୍ତି ସ୍ୱତନ୍ତ୍ର ଏବଂ ସର୍ବଶ୍ରେଷ୍ଠ । ଆଉ କୌଣସି ଦେବତାଙ୍କର ଏପରି ମାନବୀୟ ଲୀଳା ଦେଖିବାକୁ ଏ ବିଶ୍ୱ ବ୍ରହ୍ମାଣ୍ଡରେ ମିଳିନଥାଏ । ବୈଷ୍ଣବ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଭଗବାନ ବିଷ୍ଣୁ ରୂପରେ ।
ବୌଦ୍ଧ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଭଗବାନ ବୁଦ୍ଧ ରୂପରେ । ଶୈବ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଭଗବାନ ଶିବ ରୂପରେ । ଗାଣପତ୍ୟ ଭକ୍ତ ମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଗଣପତି ରୂପରେ । ତେଣୁ ମହାପ୍ରଭୁ ଜଗନ୍ନାଥ ନିର୍ଦ୍ଧିଷ୍ଟସୀମା ବା ରୂପରେ ଆବଦ୍ଧ ନୁହନ୍ତି । ଗୋଟିଏ ବଳୟ ଭିତରେ ଗୋଟିଏ ନିର୍ଦ୍ଧିଷ୍ଟ ପରିସୀମା ଭିତରେ ମହାପ୍ରଭୁ କାଳିଆ ସାଆନ୍ତଙ୍କର ସ୍ଥିତି କଳ୍ପନା କରିବା ଅସମ୍ଭବ । ଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର, ଜଗନ୍ନାଥଙ୍କର ଦେଉଳ ହେଉଛି ବଡ଼ ଦେଉଳ, ଜଗନ୍ନାଥଙ୍କ ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ପଣ୍ଡା ହେଉଛି ବଡ଼ ପଣ୍ଡା, ତାଙ୍କର ଦୀପ ହେଉଛି ମହାଦୀପ, ତାଙ୍କର ଉଦଧି ହେଉଛି ମହା ଉଦଧି (ମହୋଦଧି ), ତାଙ୍କର ଶକ୍ତି ହେଉଛନ୍ତି ମହାଲକ୍ଷ୍ମୀ, ତାଙ୍କର ପ୍ରସାଦ ହେଉଛି ମହାପ୍ରସାଦ । ତେଣୁ ଜଗନ୍ନାଥଙ୍କ ଚେତନା ଭିତରେ ନାହିଁ ସଂକୀର୍ଣ୍ଣତା, ନାହିଁ ଅହମିକା, ନାହିଁ ଅହଂକାର, ନାହିଁ ଉଚ୍ଚନୀଚ୍ଚ, ବଡ଼ସାନର ଭେଦଭାବ ।
ଶ୍ରୀକ୍ଷେତ୍ର, ସୁଭଦ୍ରା, ବଳଭଦ୍ର, ସୁଦର୍ଶନଙ୍କ ନାମ ଭିତରେ ରହିଛି ସୁସୁନ୍ଦର, ଶିବ ବା ଶୁଭର ସୂଚନା । ନୀଳଚକ୍ର ଚିରନ୍ତନ ସତ୍ୟ ଓ ନ୍ୟାୟର ପ୍ରତୀକ । କାଳିଆ ସାଆନ୍ତଙ୍କ ସିଂହଦୁଆରରୁ କୌଣସି ଭକ୍ତ ଖାଲି ହାତରେ ଫେରିନି । ମହାପ୍ରଭୁ ପାଖରେ ଧନୀ, ଗରିବ ସମସ୍ତେ ସମାନ । ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଛନ୍ତି । ଦରଦୀ ଠାକୁର, ଦୀନବନ୍ଧୁ, ଅନାଥର ନାଥ, ଜଗତର ନାଥ ବଡ଼ ଠାକୁର ଜଗନ୍ନାଥ ।
ମହାପ୍ରଭୁ କାଳିଆ ସାଆନ୍ତଙ୍କ ଦିବ୍ୟ ଲୀଳାକୁ ଆମ ପରି ସାଧାରଣ ରକ୍ତ ମାଂସ ଧାରୀ ମନୁଷ୍ୟ ବୁଝିବା ଅସମ୍ଭବ । ବିଶ୍ୱ ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଯାତ୍ରା ଘୋଷଯାତ୍ରାର ଯେଉଁ ଇଶ୍ୱରୀୟ ବାର୍ତ୍ତା ରହିଛି । ତାହା ଆମ ମାନବ ସମାଜ ପାଇଁ ଅତୀବ ଉପାଦେୟ । ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଖରେ ଧନୀ, ଗରିବ, ଉଚ୍ଚ, ନୀଚ୍ଚର ଭେଦଭାବ ନଥାଏ । ଏ ବିଶ୍ୱବ୍ରହ୍ମାଣ୍ଡର ମାଲିକ ଜଗନ୍ନାଥ । ସମସ୍ତଙ୍କ ଦୁଃଖ ବୁଝନ୍ତି ସେ ।
ଏ ବିଶ୍ୱବ୍ରହ୍ମାଣ୍ଡରେ କେହିବି ଅନାଥ, ନିରାଶୟ, ନହୁଅନ୍ତୁ ଏହି ଆଶ୍ୱାସନା ମିଳେ ଜଗନ୍ନାଥଙ୍କ ନାମ ଭିତରେ । ଜାତିବର୍ଣ୍ଣ, ଧର୍ମ ନିର୍ବିଶେଷରେ ମହାପ୍ରଭୁ ଚକାଡୋଳା ଅନନ୍ତକୋଟି ବ୍ରହ୍ମାଣ୍ଡ ନାୟକ ଜଗତର ନାଥ ଜଗନ୍ନାଥ ଦର୍ଶନ ଦିଅନ୍ତି ରଥଯାତ୍ରାରେ । ସେହ୍ନ, ପ୍ରେମ, ଭାତୃତ୍ୱ, ବଳିଦାନ, ଭଲପାଇବା, ମାନବିକତା, ତ୍ୟାଗର ବାର୍ତ୍ତା ମିଳେ ରଥଯାତ୍ରାରେ । ଯେଉଁଠି ସ୍ୱାର୍ଥପର ଅହଂଙ୍କାରୀ ମନୁଷ୍ୟ ପୁଳା ପୁଳା ଟଙ୍କା ବାଟି ବାଟି ସମ୍ପତ୍ତି ପାଇଁ ନିଜର ଜନ୍ମଦାତା ପିତା, ଜନ୍ମଦ୍ରାତ୍ରୀ ମାତା, ବନ୍ଧୁ, ପରିଜନକୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ, ସେଠି ମହାପ୍ରଭୁ ଜଗନ୍ନାଥଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଶୃଙ୍ଖଳିତ କରିପାରିଲେ ମାନବ ସମାଜ ପାଇଁ ଏହା ଏକ ବରଦାନ ସାବ୍ୟସ୍ତ ହେବ । ନିଜର ମାନ, ଅଭିମାନ, ରାଗ, ହିଂସା, କ୍ରୋଧ, ଘୃଣା ଭାବକୁ ପରିତ୍ୟାଗ କରି “ମଣିଷପଣିଆ” ହିଁ ସର୍ବଶ୍ରେଷ୍ଠ ଏହାକୁ ସମଗ୍ର ମାନବଜାତି ଅନୁଭବ କରିବାର ସମୟ ଆସିଛି । ଏହାକୁ ବୁଝିବାକୁ ହେବ ଯେ ନିୟତିର ନିଷ୍ପତ୍ତି ନିକଟରେ ସମଗ୍ର ମାନବଜାତି ଦୁର୍ବଳ ଏବଂ ଅସହାୟ । ଆମକୁ ନିଜର ଅହଂକାର ପରିତ୍ୟାଗ କରିବାକୁ ପଡିବ । ମହାପ୍ରଭୁ କାଳିଆ ସାଆନ୍ତଙ୍କ ଚରଣଆଶ୍ରିତ ଏବଂ ଏବଂ ନତମସ୍ତକ ହେବାକୁ ପଡିବ । ମହାପ୍ରଭୁ ଅନାଥର ନାଥ କାଳିଆ ସାଆନ୍ତଙ୍କ ବିନା ସମଗ୍ର ମାନବଜାତିର ପରିକଳ୍ପନା କରିବା ଅସମ୍ଭବ ଏହାକୁ ବିଶ୍ୱବ୍ରହ୍ମାଣ୍ଡରେ କେହି ଭି ଅସ୍ୱୀକାର କରିପାରିବେ ନାହିଁ ।

ଆଶୁତୋଷ ନାୟକ
ମୋବାଇଲ-୭୦୨୦୬୧୧୩୦୦

Leave A Reply

Your email address will not be published.