ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୮୧ ଜଣ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କେବଳ ଏକ ସଂଖ୍ୟା ନୁହେଁ । ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ନିର୍ମମ ସତ୍ୟର ଆଇନା । ଯେତେବେଳେ ସରକାର “ଶିକ୍ଷା ଅଧିକାର”ର ଢୋଲ ପିଟୁଛନ୍ତି, ସେତେବେଳେ ମାଟିଆଭଟା, ଲୁହାସିଂହା, ଦେଦରୋ ପରି ଗ୍ରାମର ପୁଅଝିଅମାନେ ପେଟ ପାଇଁ ପରୀକ୍ଷା ହଲ୍ ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଯାଉଛନ୍ତି । ଏହା କି ସ୍ୱାଧୀନ ଭାରତର ଶିକ୍ଷା ନୀତିର ସଫଳତା । ଦାନା ପାଇଁ ନିଜ ଭବିଷ୍ୟତକୁ ନିଲାମ କରିବାକୁ ବାଧ୍ୟ ହେଉଥିବା ଏହି କିଶୋର କିଶୋରୀମାନେ କାହା ଦୋଷର ଶିକାର ହେଉଛନ୍ତି ? ଗରିବ ପରିବାର ଯଦି ଦିନକୁ ଦିନ ଜୀବନ ଜୁଝୁଛି, ତେବେ ସରକାର ଓ ପ୍ରଶାସନ କଣ କରୁଥିଲେ ? ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ଛାତ୍ରବୃତ୍ତି କାଗଜରେ ଯେଉଁ ଯୋଜନା ଚମକୁଛି, ଗ୍ରାମର ମାଟିରେ ସେଗୁଡିକ କେଉଁଠି ? ଯଦି ଶିକ୍ଷା ନିଶ୍ଚିତ ଥାନ୍ତା, ତେବେ ଏତେ ପରିବାର ନିଜ ସନ୍ତାନଙ୍କୁ ପରୀକ୍ଷା ଛାଡ଼ି ଦାଦନରେ ଯିବାକୁ ବାଧ୍ୟ କରୁନଥାନ୍ତା । ଶିକ୍ଷାବିଭାଗର ନିର୍ଲଜ ନିରବତା ଏହି ଦୁର୍ଦ୍ଦଶାକୁ ଆହୁରି ଗମ୍ଭୀର କରୁଛି । ବ୍ଲକ ଶିକ୍ଷା ଅଧିକାରୀରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ଏହି ଘଟଣାକୁ ଗୁରୁତ୍ୱ ଦେଉନାହାନ୍ତି । ଏହା କି ଅସମର୍ଥତା, ନା କୌଣସି ତଥ୍ୟକୁ ଚାପି ରଖିବାର ଚେଷ୍ଟା ? ଯଦି ୮୧ ଜଣ ଛାତ୍ରଛାତ୍ରୀ ହାଜିର ହୋଇନାହାନ୍ତି, ତେବେ ଏହାର ପଛରେ ଥିବା ସାମାଜିକ–ଆର୍ଥିକ କାରଣ ଖୋଜିବା ଓ ତୁରନ୍ତ ପଦକ୍ଷେପ ନେବା ଶାସନର କର୍ତ୍ତବ୍ୟ ନୁହେଁ କି ? ସତ୍ୟ ହେଉଛି ଗରିବ ପିଲାଙ୍କ ଶିକ୍ଷା କେବଳ ଭାଷଣରେ ସୀମିତ । ଯେତେବେଳେ ପରିବାର ପାଖରେ ଖାଇବାକୁ ନାହିଁ, ସେତେବେଳେ ପୁସ୍ତକ ଓ ପରୀକ୍ଷାର ମୂଲ୍ୟ ଶୂନ୍ୟ ହୋଇଯାଏ । ଏହା ସରକାରୀ ଯୋଜନାର ମୃଗ ତୃଷ୍ଣାକୁ ପ୍ରକାଶ କରୁଛି । “ଡ୍ରପ୍ଆଉଟ୍ ହ୍ରାସ”ର ଦାବି କରୁଥିବା ଅଧିକାରୀମାନେ ଏହି ୮୧ଟି ନାମକୁ ଗଣନାରୁ ବାହାର କରି ନିଜର ରିପୋର୍ଟ ସୁନ୍ଦର କରିବେ । ଆବଶ୍ୟକ ଘଟଣାର ସ୍ୱାଧୀନ ତଦନ୍ତ, ପରିବାରମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା, ଦାଦନ ଶ୍ରମ ରୋକିବାକୁ କଠୋର ପଦକ୍ଷେପ ଓ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟଧାରାକୁ ଫେରାଇବା ପାଇଁ ବିଶେଷ ଯୋଜନା । ୮୧ଟି ଖାଲି ଚେୟାର କେବଳ ଏକ ପରୀକ୍ଷା କେନ୍ଦ୍ରର ଚିତ୍ର ନୁହେଁ ଏହା ଶାସନ ବ୍ୟବସ୍ଥାର ବିଫଳତାର ଜୀବନ୍ତ ସାକ୍ଷ୍ୟ । ଏହି ପ୍ରଶ୍ନର ଉତ୍ତର ସରକାର ଓ ଶିକ୍ଷାବିଭାଗକୁ ଦେବାକୁ ହେବ । ଦାନା ବଡ଼ କି ଶିକ୍ଷା ? ଯଦି ପିଲାମାନେ ପେଟ ପାଇଁ ଭବିଷ୍ୟତ ନିଲାମ କରୁଛନ୍ତି, ତେବେ ଏହା ନିଶ୍ଚିତ ଭାବେ ନୀତିର ପରାଜୟ, ପ୍ରଶାସନର ଅସଫଳତା ଓ ସମାଜର ସାମୁହିକ ଅନୁତାପର କାରଣ ।
Prev Post