ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତରେ ହିଂସାତ୍ମକ ଅପରାଧ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ, ୨୦୦୪ ରୁ ୨୦୧୪ ମଧ୍ୟରେ ହତ୍ୟା, ବଳାତ୍କାର, ଯୌତୁକ ମୃତ୍ୟୁ ଏବଂ ଦଙ୍ଗା ବୃଦ୍ଧି ପାଇଥିଲା, କିନ୍ତୁ ୨୦୧୪ ପରଠାରୁ ଏଗୁଡ଼ିକ ବହୁ ପରିମାଣରେ ହ୍ରାସ ପାଇଛି । ଫଳରେ ଦେଶ ଅଧିକ ସୁରକ୍ଷିତ ହୋଇଛି, ବିଶେଷକରି ମହିଳାମାନଙ୍କ ପାଇଁ । ୟୁପିଏ ଶାସନ କାଳରେ ଦୁଷ୍କର୍ମ ମାମଲା ଉଦବେଗଜନକ ଭାବେ ବୃଦ୍ଧି ପାଇଥିଲା, ଯାହା ୨୦୦୪ରେ ୧୮,୨୩୩ରୁ ପ୍ରାୟ ଦ୍ୱିଗୁଣିତ ହୋଇ ୨୦୧୪ରେ ୩୬,୭୩୫ରେ ପହଞ୍ଚିଥିଲା । ଏହି ବୃଦ୍ଧି ମହିଳାମାନଙ୍କ ବିରୋଧରେ ଅପରାଧକୁ ତତ୍କାଳୀନ ଦଶନ୍ଧିର ସବୁଠାରୁ ଚିନ୍ତାଜନକ ସମସ୍ୟା ମଧ୍ୟରୁ ଅନ୍ୟତମ କରିଥିଲା । ଅପରପକ୍ଷରେ, ମୋଦୀଙ୍କ ଯୁଗରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି । ୨୦୨୩ ସୁଦ୍ଧା, ରିପୋର୍ଟ ହୋଇଥିବା ମାମଲା ୨୯,୬୭୦ କୁ ହ୍ରାସ ପାଇଛି, ଯାହାକି ୨୦୧୪ ସ୍ତର ତୁଳନାରେ ୧୯ ପ୍ରତିଶତ କମ୍ । ପୂର୍ବ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ହ୍ରାସ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମହିଳାମାନଙ୍କ ପାଇଁ ଭାରତକୁ ସୁରକ୍ଷିତ କରିବାର ପ୍ରୟାସକୁ ପ୍ରତିଫଳିତ କରିଥାଏ । ୟୁପିଏ ଶାସନ କାଳରେ ଯୌତୁକ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ଏପରି ମାମଲା ସଂଖ୍ୟା ୨୦୦୪ରେ ୭,୦୨୬ ରୁ ୨୦୧୪ ରେ ୮,୪୫୫ କୁ ବୃଦ୍ଧି ପାଇଥିଲା, ଏଥିରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଦେଖା ଦେଇଥିଲା । ତେବେ ୨୦୧୪ ପରଠାରୁ ଯୌତୁକ ମୃତ୍ୟୁ କ୍ରମାଗତ ଭାବରେ ହ୍ରାସ ପାଇଛି । ୨୦୨୩ ସୁଦ୍ଧା ଏଭଳି ମାମଲା ସଂଖ୍ୟା କମି ୬,୧୫୬ରେ ପହଞ୍ଚିଛି, ଯାହା ୨୦୧୪ ତୁଳନାରେ ୨୭ ପ୍ରତିଶତ ହ୍ରାସ। ସମସ୍ତ ହିଂସାତ୍ମକ ଅପରାଧ ମଧ୍ୟରେ ଏହା ଏକ ତୀବ୍ର ହ୍ରାସକୁ ଦର୍ଶାଇଥାଏ । ୟୁପିଏ ଶାସନ କାଳରେ ଦଙ୍ଗା ଘଟଣା ବୃଦ୍ଧି ପାଇଥିଲା, ଯାହା ୨୦୦୪ରେ ୫୯,୯୭୧ରୁ ବୃଦ୍ଧି ପାଇ ୨୦୧୪ରେ ୬୬,୦୪୨ରେ ପହଞ୍ଚିଥିଲା । ଏଭଳି ମାମଲାରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଥିଲା । ୨୦୨୩ ସୁଦ୍ଧା ଏହି ମାମଲା ସଂଖ୍ୟା ୩୯,୨୬୦ କୁ ଖସିଛି ଯାହାକି ୨୦୧୪ ସ୍ତର ତୁଳନାରେ ୪୦ ପ୍ରତିଶତ କମ୍ । ଚାରି ପ୍ରକାରର ପ୍ରମୁଖ ହିଂସାତ୍ମକ ଅପରାଧ ମଧ୍ୟରେ ଦଙ୍ଗାରେ ସବୁଠାରୁ ତୀବ୍ର ହ୍ରାସ ଦେଖାଯାଇଛି । ଏହା ମୋଦୀ ସରକାରଙ୍କ ‘‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’’ ନୀତିର ଆଉ ଏକ ପ୍ରମାଣ । ୟୁପିଏ ଶାସନ କାଳରେ ପ୍ରତିବର୍ଷ ହାରାହାରି ୩୩,୨୦୦ଟି ହତ୍ୟା ମାମଲା ରେକର୍ଡ କରାଯାଉଥିଲା । ୨୦୦୪ରେ ଏହି ସଂଖ୍ୟା ୩୩,୬୦୮ରେ ରହିଥିଲା ଏବଂ ୨୦୧୪ରେ ପ୍ରାୟ ସମାନ ସ୍ତରରେ ୩୩,୯୮୧ରେ ରହିଥିଲା । ୨୦୨୩ ସୁଦ୍ଧା, ହତ୍ୟା ମାମଲା ୨୭,୭୨୧କୁ ହ୍ରାସ ପାଇଛି ଯାହା ୟୁପିଏ ଶାସନ କାଳରେ ହାରାହାରି ମାମଲା ତୁଳନାରେ ୧୮ ପ୍ରତିଶତ କମ୍ । ଏହା ସମଗ୍ର ଦଶନ୍ଧିରେ ସବୁଠାରୁ ସ୍ଥିର ସୁଧାର ମଧ୍ୟରୁ ଅନ୍ୟତମ । ଏକତ୍ର ବିଚାର କଲେ, ଏହି ଧାରା ଗୁଡ଼ିକ ଏକ ସ୍ପଷ୍ଟ ପରିବର୍ତ୍ତନକୁ ଦର୍ଶାଇଥାଏ । ୟୁପିଏ ସରକାର ଅଧୀନରେ ଏହି ଚାରୋଟି ବର୍ଗରେ ହିଂସାତ୍ମକ ଅପରାଧ ୨୨ ପ୍ରତିଶତ ବୃଦ୍ଧି ପାଇ ୨୦୧୪ରେ ୧୪୫ ଲକ୍ଷ ମାମଲାରେ ପହଞ୍ଚିଥିଲା । ମୋଦୀ ସରକାର ଅଧୀନରେ ୨୦୨୩ ମସିହାରେ ମୋଟ ମାମଲା ୨୯ ପ୍ରତିଶତ ହ୍ରାସ ପାଇ ୧ ଲକ୍ଷ ୨ ହଜାରରେ ପହଞ୍ଚିଛି, ଯାହା ୨୦୦୪ ମସିହାରେ ରେକର୍ଡ ହୋଇଥିବା ୧ ଲକ୍ଷ ୧୮ ହଜାର ମାମଲା ତୁଳନାରେ ମଧ୍ୟ କମ୍ । ଏହି ପରିବର୍ତ୍ତନ ଦର୍ଶାଉଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ କିପରି ଉଲ୍ଲେଖନୀୟ ଭାବରେ ସୁରକ୍ଷିତ ହୋଇପାରିଛି, ବିଶେଷ କରି ମହିଳାମାନଙ୍କୁ ହିଂସାତ୍ମକ ଅପରାଧରୁ ରକ୍ଷା କରିବାରେ ଦେଶ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ମୋଦୀ ସରକାର ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାକି ପୂର୍ବ ବର୍ଷଗୁଡ଼ିକର ଅବହେଳାକୁ ପ୍ରତିହତ କରିଛି । ଉତ୍ତମ ସମନ୍ୱୟ ଏବଂ ତ୍ୱରିତ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସିସିଟିଏନ୍ଏସ୍ ବର୍ତ୍ତମାନ ୧୭,୭୧୨ଟି ଥାନାକୁ ଦେଶବ୍ୟାପୀ ଉପଲବ୍ଧ ଏକ କୋଟିରୁ ଅଧିକ ଅପରାଧ ରେକର୍ଡ ସହିତ ଯୋଡ଼ିଛି । ମୋଦୀ ସରକାର ୨୦୨୧ ମସିହାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪,୮୪୬ କୋଟି ଟଙ୍କା ଆବଣ୍ଟନ ସହିତ ପୁଲିସର ଆଧୁନିକୀକରଣ (ଏଏସୟୁଏମପି) ଯୋଜନା ମାଧ୍ୟମରେ ରାଜ୍ୟ ପୁଲିସ ବାହିନୀକୁ ସୁଦୃଢ଼ କରିଛନ୍ତି । ଏହି ଯୋଜନା ଅଧୀନରେ ରାଜ୍ୟ ପୁଲିସ ବାହିନୀକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଉନ୍ନତ ଅସ୍ତ୍ରଶସ୍ତ୍ର, ପରିବହନ ସହାୟତା ଏବଂ ପ୍ରାଥମିକତା କ୍ଷେତ୍ରରେ ନୂତନ ପୁଲିସ ଷ୍ଟେସନ ଏବଂ ଆବାସ ନିର୍ମାଣ କରାଯାଇଛି । ନୂତନ ଅପରାଧିକ ଆଇନ ମଧ୍ୟ କଠୋର ବ୍ୟବସ୍ଥା ପ୍ରବର୍ତ୍ତନ କରିଛି । ମାମଲାର ଅନୁସନ୍ଧାନ ଏବଂ ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଏବଂ ମହିଳା ଓ ପିଲାମାନଙ୍କ ବିରୋଧରେ ଅପରାଧକୁ ସମାଧାନ କରିବା ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଆଣିଛି । ଏହି ଅପରାଧ ପାଇଁ ଉତ୍ସର୍ଗୀକୃତ ୩୭ଟି ବିଭାଗକୁ ଗୋଟିଏ ଅଧ୍ୟାୟରେ ଏକତ୍ର କରାଯାଇଛି । ପ୍ରଯୁକ୍ତିବିଦ୍ୟା, ପାଣ୍ଠି ଏବଂ ଆଇନକୁ ସମନ୍ୱିତ କରି ଏହି ପଦକ୍ଷେପ ମାଧ୍ୟମରେ ମୋଦୀ ସରକାର ଏକ ଦୃଢ ଏବଂ ଅଧିକ ଆଧୁନିକ ପୁଲିସ ଓ ସୁରକ୍ଷା ଢାଞ୍ଚା ନିର୍ମାଣ କରିଛନ୍ତି । ଅପରପକ୍ଷରେ ୟୁପିଏ ବର୍ଷରେ ଅବହେଳା ଏବଂ ଉଦାସୀନତା କାରଣରୁ ଅପରାଧ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଥିଲା ।