ଦୀର୍ଘ ୨୫ ବର୍ଷ ପରେ ଭୋଇପଡା ଘରଭଙ୍ଗା ଓ ଆକ୍ରମଣ ମାମଲାରେ ୩ ଭାଇଙ୍କୁ ୪ ମାସ ସଶ୍ରମ କାରାଦଣ୍ଡାଦେଶ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ଦୀର୍ଘ ୨୫ ବର୍ଷ ଏକ ପୁରୁଣା ଘରଭଙ୍ଗା ଓ ଆକ୍ରମଣ ଘଟଣାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ୩ ଜଣ ଅଭିଯୁକ୍ତ ଭାଇଙ୍କୁ ୪ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି । ଭୋଇପଡ଼ା ଗ୍ରାମର ଜଗୁରାମ ସାହୁ(୭୦)ଗତ ୨୬/୦୪/୧୯୯୯ ମସିହାରେ ତାଙ୍କ ଘରେ ଥିବା ବେଳେ ଗ୍ରାମର ଜଗତରାମ ସାହୁ, ଭଗତରାମ ସାହୁ ଓ ଶେଷରାମ ସାହୁ ୩ ଭାଇ ଆସି ତାଙ୍କୁ ଠେଙ୍ଗା ବାଡିରେ ମରଣାନ୍ତକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ସେମାନେ ତାଙ୍କ ଘରକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଜଗୁରାମ୍ ସେତେବେଳେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ । ଏନେଇ ବଙ୍ଗୋମୁଣ୍ଡା ଥାନା ପୁଲିସ୍ ଜିଆର କେଶ ନଂ ୬୧/୧୯୯୯ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ମାମଲାଟି କୋର୍ଟରେ ବିଚାରାଧିନ ଥିଲା । ଏହି ମାମଲାରେ ଶୁକ୍ରବାର ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ସମସ୍ତ ପ୍ରକାର ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ୩ ଭାଇ ଜଗତରାମ୍ ସାହୁ, ଭଗତରାମ ସାହୁ ଓ ଶେଷରାମ ସାହୁଙ୍କୁ ଦଫା ୩୨୩ରେ ୪ମାସ ସଶ୍ରମ କାରାଦଣ୍ଡାଦେଶ ଓ ଦଫା ୪୨୬ରେ ଜଗତରାମ ସାହୁଙ୍କୁ ଆହୁରି ଅତିରିକ୍ତ ୧ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୋଗକାରୀ ଜଗୁରାମ ସାହୁଙ୍କ ପକ୍ଷରୁ ସରକାରୀ ଓକିଲ ବିଶ୍ଵନାରାୟଣ ବହିଦାର ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.