jayashree

କବିତା : ହୋ ପଣ୍ଡିତେ

  • ବିଜୟ ପ୍ରଧାନ

ମତେ ଏତେ ଉପରକୁ
ନିଅ ନାହିଁ ପଣ୍ଡିତେ
ମୁଁ ମାଟିର ମଣିଷ
ପାଦ ଲାଖିଥାଉ ଏମିତି ମାଟିରେ …

ମୋର ପ୍ରଶ୍ନମାନଙ୍କ ପରି ମୁଁ
ନିହାତି ତୁଚ୍ଛ ଓ ଅବାନ୍ତର
ମତେ ନିଜ ସାମ୍ନାରେ ଥୋଇ
ବିଚାର ନ କର ।

ମୋର ହେବାର ନାହିଁ ଛଞ୍ଚାଣ
ଉଡ଼ାଣ ଖୋର ମନ
ଭୁରତେଇ ଖଞ୍ଜନାହିଁ
ମହମର ଡେଣା
ବରଂ ନ ଦିଅ
ମୋ ପାଉଣା ।

ଆକାଶର ନୀଳିମାରେ ହିଁ
ବିମୋହିତ ସତ୍ତା ମୋର,
କାଳ୍ପନିକ ଉଡ଼ାଣ
ମୋହ ଅକାରଣ,
ମତେ ପାଖରୁ ଦେଖିବାକୁ ଦିଅ
ଜୀବନ ।

ମୁରୁଖ ମୁଁ ବୁଝେନାହିଁ
ମାନ, ଅପମାନ
ହରଣ, ଗୁଣନ
ମାନସାଙ୍କ,
ଜୀବନର ଅଙ୍କ କଷାକଷି
ତୁମ ପାଣ୍ଡିତ୍ୟର
ଛନ୍ଦାଛନ୍ଦି ଜାଲରେ
ମୁଁ ଅଣନିଃଶ୍ୱାସୀ ,
ମତେ ଯିବାକୁଦିଅ ମୋ ବାଟରେ
ମୁଁ ମୁରୁଖଟିଏ ହୋ ପଣ୍ଡିତେ
କେବେ କଣ ତୁମ ପାଖାପାଖି ହୋଇପାରେ
ଯେତେ ଯାହା କଲେ ?

ମତେ ଆଉ ଶିଖାଅନା
ମୁଁ ବୁଝୁନଥିବା ଗଣିତ
ତୁମ ଦୃଷ୍ଟିରେ ଏମିତି ବି କାଳକାଳ
ମୁଁ ଗଜମୁରୁଖ, ତୁମେ
ସ୍ୱଘୋଷିତ ମହା ପଣ୍ଡିତ ।

ମୋ.ନଂ.: ୯୯୩୮୦୧୯୦୬୧

Leave A Reply

Your email address will not be published.