jayashree

କବିତା : ଆଡିବଂଧ

  • ପିନାକୀ ମିଶ୍ର

ଢେର ସମ୍ଭାଳିଛି
ସାତଗାଁକୁ ନିଦ ସ୍ୱପ୍ନ ସୁଖ ଦେଇଛି ।

ଶାଳୁଆ ଦାନ୍ତକାଠିକୁ ଦିଫାଳ ଚିରି
ବନ୍ଧ ତଳକୁ ଓହ୍ଲେଇଲେ ଜେଜେ ,
ଘାଟଗାଧୁଆ ଦେହକ ଗଲାଣି
ଏବେ ଆଣ୍ଠୁ ଖଂଜାରେ ପୀଡା ।

ପଛକୁ ପଛ ଲଘୁଚାପ
ଉପରମୁଣ୍ଡରେ ଆଣ୍ଠେଇ ପଡିଛି ମେଘ
ଡ୍ୟାମ୍ ଫାଟକ ଖୋଲିବା ଥୟ
ଏ ନଈସୁଅ ନା ଅଜଗର ଧାଇଁ
ଠେଲା ଖାଉଛି ରଜାମଳିଆ ଆଡିବନ୍ଧ
ପାଣି ନାକ ଛୁଇଁଲାଣି ।

ପବନ ବେତାଳ
ଗଜଗଜ ଲଗାଣବର୍ଷା
ବେଳ ଲାଗୁଛି ଅବେଳ, ରାତିକୁ ପଚାରନି କିଛି
ଅଘଟଣ ଶଂକାରେ ଥରୁଛି ପତଳାନିଦ ।

ଅଧରାତି ନା’ କାଳରାତି
ହୋ-ହା ଘୋ-ଘାରେ ଗାଁଦାଣ୍ଡ
ଦେଖୁଦେଖୁ ପାଣି ଆଣ୍ଠୁଏ
ଆଡିବନ୍ଧ ଭାଙ୍ଗିଲା
ଉଠା ଉଠା ଯାଦବ
ପିଲା ତିରିଲା ଛେଳିବଳଦ ଧରି ଧାଁ
ନଈ ନା’ ନାଗୁଣୀ
ମାଟିଘର କାନ୍ଥ ମଇଳାଜାମା ପରି ବତୁରିଲାଣି ।

ଜେଜେଙ୍କ ଆଣ୍ଠୁଖଂଜାରୁ ରସ ଶୁଖିଲାଣି
ଦୂତୀର ଲଗ୍ନଧରା ପାଖେଇ ଆସିଲାଣି
ଦିଅଁ ସିନା ପାଦେପାଣିରେ ଯମୁନା ପାରିହେବେ
ସାତଗାଁ ଭୂଆଷୁଣୀ କୁଆଡେ ଧାଇଁବେ ?
ମାମୁନି ବସ୍ତାନି ଭାସିଗଲା କି ନଈରେ ?

ପାଣିପାହାର ବଡ ବାଧେ ହୋ
ଛନଛନିଆ ଦୋହଡବିଲରେ ବାଲିର ତୋଡ
ଚାଳରୁଅ ମାଟିରେ ଦୁଲ୍ ଦାଲ୍
ସ୍କୁଲ୍ ପିଣ୍ଡାରେ ଦଳେ ବାପା ବଲବଲ ହତଭମ୍ବ
ସରକାରୀ ଭାତଡାଲମା
ବେଲେଦୁଃଖକୁ ଚାମୁଚେ ସାନ୍ତ୍ୱନା ।

ସାତଗାଁ ସୁଖ ଛଡେଇନେଲା ନଈ
ଜେଜେ କହିଥିଲେ ପା’
ବେଳ ଥାଉ ଥାଉ ବନ୍ଧ ବାନ୍ଧରେ କୁମର ।

  • “ଶୂନ୍ୟନୀଳ”
    ଚର୍ଚ୍ଚ ପାଖ , ଜେଲ୍ ରୋଡ, କେନ୍ଦୁଝର
    ମୋ- ୯୪୩୮୧୧୮୩୯୭
Leave A Reply

Your email address will not be published.