ବଲାଙ୍ଗିର, (କେପିଏନ୍ଏସ୍) : ନବଦୁର୍ଗାଙ୍କ ସ୍କନ୍ଦମାତା ବେଶ ତିଥି ଅନୁସାରେ ଗତକାଲି ଅପରାହ୍ନରେ ଦର୍ଶନ ହୋଇଛି । ପଞ୍ଚମ ଦିନରେ ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
ସିଂହାସନାଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ୱୟା ।
ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ । ।
ମାତା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା । କୁମାର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ । ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ସେ ଦେବତାମାନଙ୍କର ସେନାପତି ହୋଇଥିଲେ । ପୁରାଣରେ ତାହାଙ୍କୁ କୁମାର ଓ ଶକ୍ତିଧର କହି ତାଙ୍କର ମହିମା ବର୍ଣ୍ଣନା କରାଯାଇଛି । କାର୍ତ୍ତିକେୟଙ୍କର ବାହାନ ମୟୂର, ତେଣୁ ତାଙ୍କୁ ମୟୁରବାହାନ ବୋଲି ମଧ୍ୟ କୁହାଯାଏ ।
ସେହି ଭଗବାନ ସ୍କନ୍ଦଙ୍କର ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା ହୋଇଛି । ନବରାତ୍ରି ପୂଜାର ପଞ୍ଚମ ଦିବସରେ ଏହାଙ୍କର ଉପାସନା କରାଯାଏ । ଏହି ଦିନ ସାଧକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୁଏ । ମା’ଙ୍କର ବିଗ୍ରହରେ ଭଗବାନ ସ୍କନ୍ଦ ବାଳରୂପରେ କୋଳରେ ବସିଥାନ୍ତି । ସ୍କନ୍ଦମାତା ଦେବୀଙ୍କର ଚାରି ଭୂଜ । ଡାହାଣ ପଟର ଉପର ହାତରେ ସେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଥାନ୍ତି ଏବଂ ସେହି ପଟର ତଳ ହାଟି ଉପରକୁ ଟେକି ସେଥିରେ କମଳ ପୁଷ୍ପଟିଏ ଧରିଥାନ୍ତି । ବାମ ପଟର ଉପରେ ହାତରେ ବରମୁଦ୍ରା ଦେଖାଉଥାନ୍ତି ଏବଂ ତଳ ହାତ ଉପରକୁ ଟେକି ସେଥିରେ ବି କମଳ ପୁଷ୍ପ ଧାରଣ କରିଥାନ୍ତି ।
ମା’ଙ୍କର ବର୍ଣ୍ଣ ପୂର୍ଣ୍ଣତଃ ଶୁଭ୍ର । ସେ କମଳ ଆସନରେ ବସିଥାନ୍ତି, ତେଣୁ ତାଙ୍କର ଅନ୍ୟ ନାମ ପଦ୍ମାସନା ଅଟେ । ସିଂହ ମା’ଙ୍କର ବାହନ ଅଟେ । ଶାସ୍ତ୍ରରେ ନବରାତ୍ର ପୂଜାର ପଂଚମ ଦିବସର ବିଶେଷ ମହତ୍ତ୍ୱ କୁହାଯାଇଛି । ବିଶୁଦ୍ଧଚକ୍ରରେ ଯେଉଁ ସାଧକଙ୍କର ମନ ଅବସ୍ଥିତ ଥାଏ, ତାଙ୍କର ସମସ୍ତ ବାହ୍ୟ କ୍ରିୟା ଓ ଚିତ୍ତବୃତ୍ତି ଲୋପ ହୋଇଯାଏ । ସେ ବିଶୁଦ୍ଧ ଚୈତନ୍ୟ ଆଡ଼କୁ ଅଗ୍ରସର ହେଉଥାନ୍ତି । ତାଙ୍କର ମନ ସକଳ ଲୌକିକ, ସାଂସାରିକ ତଥା ମାୟିକ ବନ୍ଧନରୁ ବିମୁକ୍ତ ହୋଇ ପଦ୍ମାସନା ସ୍କନ୍ଦମାତାଙ୍କ ସ୍ୱରୂପରେ ପୂର୍ଣ୍ଣତଃ ତର୍ଲ୍ଲୀନ ହୋଇଯାଏ । ଏହି ସମୟରେ ସାଧକ ପୂର୍ଣ୍ଣ ସାବଧାନ ହୋଇ ଉପାସନା କାର୍ଯ୍ୟରେ ଅଗ୍ରସର ହେବା ଆବଶ୍ୟକ । ସେ ନିଜର ସମସ୍ତ ଧ୍ୟାନ ବୃତ୍ତିକୁ ଏକାଗ୍ର କରି ସାଧନା ପଥରେ ଆଗକୁ ଯିବାକୁ ହୁଏ ।
ମା’ ସ୍କନ୍ଦମାତାଙ୍କର ଉପାସନା କଲେ ଭକ୍ତଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୋଇଯାଏ । ଏହି ମୃତ୍ୟୁଲୋକରେ ବି ତାଙ୍କୁ ପରମ ଶାନ୍ତି ଓ ସୁଖ ଅନୁଭବ ହୁଏ । ତାଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିବା ସ୍ୱତଃ ସୁଲଭ ହୋଇଥାଏ । ସ୍କନ୍ଦମାତାଙ୍କୁ ଉପାସନା କଲେ ତା’ ସହିତ ଭଗବାନ ସ୍କନ୍ଦଙ୍କର ଉପାସନା ବି ସ୍ୱତଃ ହୋଇଯାଏ । ଏହି ବିଶେଷତା କେବଳ ଏକନିଷ୍ଠ ଭକ୍ତଙ୍କୁ ମିଳେ । ତେଣୁ ସ୍କନ୍ଦମାତାଙ୍କ ଉପାସନା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ମାତା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କର ଉପାସକ ଅଲୌକିକ ତେଜ ଓ କାନ୍ତିରେ ସଂପନ୍ନ ହୋଇଯାଆନ୍ତି । ତାଙ୍କର ଚତୁର୍ଦ୍ଦିଗରେ ଏକ ଅଲୌକିକ ପ୍ରଭାମଣ୍ଡଳ ଅଦୃଶ୍ୟ ଭାବରେ ପରିବ୍ୟାପ୍ତ ହୋଇଯାଏ ।