oom

ବଲାଙ୍ଗିର ପ୍ରଶାସନ ହରେଇ ଦେଇଛି ମାନବିକତା : ଭିଆଇପି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପ୍ରଶାସନ ମାନବିକତା ହରାଇ ଦେଇଛି ବୋଲି ଅଭିଯୋଗ ଆଣିଛି ଭିଲେଜର୍ସ ଇଣ୍ଡିଆ ପାର୍ଟି । ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ଭୂ-ବନ୍ଦୋବସ୍ତ ସଂଶୋଧାନ ଆଇନ୍‌ ୨୦୧୭-୧୮ ଦ୍ୱାରା ଗରିବ ଭୁମିହୀନ ବସ୍ତିବାସିନ୍ଦାଙ୍କୁ ବିନା ବେଦଖଲ କରି ସେହି ସ୍ଥାନ କିମ୍ବା ଅନ୍ୟତ୍ର ଜାଗା ମିଶନ ପଟ୍ଟା, ଘର, ନଳ, ବିଜୁଳୀ ଦେଇ ଥଇଥାନ କରାଯିବା ପଦକ୍ଷେପ ଯୋଗୁଁ ଜାଗା ମିଶନ ପଟ୍ଟା ଯୋଜନାରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ଜାଗା ମିଶନ ଏକ ସାକାର ଯୋଜନା, ଯଦ୍ୱାରା ଦାରିଦ୍ରତା ହଟାଇ ଗରିବ ଭୁମିହୀନ ମାନଙ୍କୁ ୪ ଡିସିମିଲ ଘରବାଡି ପଟ୍ଟା ସହ ଘରଟିଏ ଦିଆଯାଉଛି । ବଲାଙ୍ଗିର ସହରରେ ୨୦୧୭-୧୮ ବର୍ଷ ଡ୍ରୋନ କ୍ୟାମେରାରେ ସର୍ଭେ କରି ଜାଗା ମିଶନ ପଟ୍ଟା ହିତାଧିକାରୀଙ୍କୁ ଉଷା କାର୍ଡ ଦେଇ ୮୨୦୦ ପରିବାରଙ୍କୁ ଜାଗା ମିଶନ ପଟ୍ଟା ଦେବା ପାଇଁ ତାଲିକା କରାଯାଇଛି । ତହି ମଧ୍ୟରୁ ପ୍ରାୟ ୩୦୦୦ ପରିବାରଙ୍କୁ ପଟ୍ଟା ଦିଆଯାଇଛି ଏବଂ ୫୦୦୦ରୁ ଅଧିକ ପରିବାର ଜାଗା ମିଶନ ପଟ୍ଟା ପାଇବା ଆଶାରେ ତଥା ଅପେକ୍ଷାରେ ଅଛନ୍ତି । ୫୦୦୦ରୁ ଅଧିକ ଗରିବ ଭୁମିହୀନ ପରିବାର ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ମ୍ୟୁନିସିପାଟିରେ ଜାଗା ମିଶନ ପଟ୍ଟା ପାଇଁ ଆବେଦନ କରିଛନ୍ତି । କିନ୍ତୁ ଡ୍ରୋନ କ୍ୟାମେରା ସର୍ଭେ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ । ବଲାଙ୍ଗିର ମ୍ୟୁନିସିପାଲିଟିର ୫ ନଂ ୱାର୍ଡ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଉଷା ସର୍ଭେ କାର୍ଡ ସହ ଜାଗା ମିଶନ ପଟ୍ଟା କିଛି ଲୋକଙ୍କୁ ଦିଆଯାଇଛି । କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ଗତ ୧୧.୦୧.୨୦୨୧ ଦିନ ଠାରୁ ସୂର୍ଯ୍ୟନଗର ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନ କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟଯୁଗୀୟ ରାଜା ରାଜୁଡା ଠାକୁର ଶାସନ, ମୋଗଲ ପଠାନ ଶାସନ୍‌ ତଥା ଇଂରେଜ ହିଟଲରୀ ଶାସନ ପରି ବଲାଙ୍ଗିର ପ୍ରଶାସନ ୭୦ ଗୋଟି ଗରିବ ଭୁମିହୀନଙ୍କ ଘର ଭାଙ୍ଗି ଦେଇ ବିଜୁଳୀ କାଟି ଦେବା ଯୋଗୁଁ ସୂର୍ଯ୍ୟନଗରବାସୀ ତମ୍ବୁ ମାରି ଖୋଲା ଆକାଶ ତଳେ ରହୁଛନ୍ତି । ପ୍ରଶାସନ ସେମାନଙ୍କୁ ଉଚିତ୍‌ ଥଇଥାନ କରିବା କଥା । କିନ୍ତୁ ଆଜି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୋଲିସ ସୂର୍ଯନଗର ସ୍ଥିତ ଏକ ବିକଳାଙ୍ଗ ଲଛମନ ବେହେରାଙ୍କୁ ଘରୁ ଫିଙ୍ଗି ଦେବା ସହିତ ତାଙ୍କ ଆସବାସପତ୍ରକୁ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଫିଙ୍ଗି ଦେଇ ତା’ର କୁଡିଆ ଘରକୁ ଜେସିବି ଦ୍ୱାରା ଭାଙ୍ଗି ଦେଇ ସେହି ସ୍ଥାନରେ ତାକୁ ପୋତି ଦେବା ପାଇଁ ଧମକ୍‌ ଦେଇଥବା ଅଭିଯୋଗ ଆଣିଛି ଭିଆଇପି । ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି ଯେ, ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ହଜାଇ ଦେଇଛି ମାନବିକତା । କେହି ବିଶ୍ୱାସ କରିପାରିବେ ନାହିଁ ଯେ, ମୁଖ୍ୟମନ୍ତ୍ରୀଙ୍କ ଜାଗାମିଶନ ପଟ୍ଟା ଯୋଜନାରେ ପଟ୍ଟା ପାଇଥିବା ୮୦ ବର୍ଷୀୟ କୈବଲ୍ୟ ନାଗ ଓ ତାଙ୍କର ସ୍ତ୍ରୀର କୁଡିଆ ଘରକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜେସିବି ଦ୍ୱାରା ଧୂଳିସାତ୍‌ କରି ଦିଆଯାଇଛି । ଆଜି ଅପରାହ୍ନ ୪ ଘ. ସମୟରେ ମାଜିଷ୍ଟ୍ରେଟ୍‌ ଅର୍ଡର ଦ୍ୱାରା ସେହି ଗରିବ ଭୁମିହୀନ ବସ୍ତିବାସିନ୍ଦାଙ୍କ ତମ୍ବୁ ଉଠାଇ ନେଇ ସେହି ସ୍ଥାନରୁ ପଳାଇ ଯିବା ପାଇଁ ଆଦେଶ ଦେଇଛନ୍ତି । ଏଣୁ ଏପରି ଅତ୍ୟାଚାରର ବିରୁଦ୍ଧରେ ତଥା ସୂର୍ଯ୍ୟନଗର ଭୁମିହୀନ ବସ୍ତିବାସିନ୍ଦାଙ୍କ ଥଇଥାନ ସହ ସମସ୍ତ ଗରିବ ଭୁମିହୀନ ମାନଙ୍କୁ ଜାଗାମିଶନ ପଟ୍ଟା ଏବଂ ଆବାସ ଯୋଜନା ସହ ଥଇଥାନ ଦାବୀ ନେଇ ଆସନ୍ତା ୨୫.୦୧.୨୦୨୧ ଦିନ ଠାରୁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ସୂର୍ଯ୍ୟନଗର ବସ୍ତି ବାସିନ୍ଦା ନାଗରିକ ସୁରକ୍ଷା ସମିତି, ବଲାଙ୍ଗିର ଭୁମିହୀନ ମହିଳା ସଂଘ ସହ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ପଟ୍ଟା ଯୋଜନା କାର୍ଯ୍ୟକାରୀ ପାଇଁ ଅନିଶ୍ଚିତ କାଳିନ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି ।

jittmm
Leave A Reply

Your email address will not be published.