ଅରୁଣ ବୋଥ୍ରାଙ୍କ ଚାଞ୍ଚଲ୍ୟକର ତଥ୍ୟ : ‘ପରୀ’କୁ ହତ୍ୟା କରିବା ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ

ଭୁବନେଶ୍ଵର : ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଚାଞ୍ଚଲ୍ୟକର ତଥ୍ୟ ଦେଇଛ‌ନ୍ତି । ‘ପରୀ’କୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛ‌ନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା ଏହି ସୂଚନା ଦେବା ସହ ତାଙ୍କ ୨୨ ବର୍ଷ ଚାକିରୀ କାଳରେ ଏହି ଘଟଣା ସବୁଠୁ ବିଭତ୍ସ ବୋଲି ସେ ଉଲ୍ଲେଖ କରିଛନ୍ତି ।ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ଏସଆଇଟି ଉକ୍ତ ଗାଁର ସରୋଜ ସେଠୀକୁ ଗିରଫ କରିଥିବା ବେଳେ ସରୋଜ କିଭଳି ଭାବେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା, ସେ ନେଇ ବୋଥ୍ରା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରୀକୁ ହତ୍ୟା କରିବା ପରେ ସରୋଜ ତା’ ସହିତ ଦୁଷ୍କର୍ମ କରିଥିବା ନେଇ ପୁଲିସ ଆଗରେ ସ୍‌ସ୍ୱୀକାର କରିଛି ବୋଲି ବୋଥ୍ରା କହିଛନ୍ତି ।

ଘଟଣା ବର୍ଣ୍ଣନା କରି ଶ୍ରୀ ବୋଥ୍ରା କହିଛନ୍ତି, ପରୀର ଘରଠାରୁ ସରୋଜର ଘର ପ୍ରାୟ ୨୦୦ ମିଟର ହେବ । ସରୋଜ ଘରେ ଥିବା ଜାମୁକୋଳି ଖାଇବାକୁ ଛୋଟ ପିଲାମାନେ ଯାଆନ୍ତି । ଜୁଲାଇ ୧୩ ତାରିଖ ଦିନ ପରୀ ତା’ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା । ପରେ ୧୪ ତାରିଖ ଦିନ ନାବାଳିକା ଏକା ଜାମୁ କୋଳି ଖାଇବାକୁ ଯାଇଥିଲା । ସରୋଜର ବାପା ନାହାନ୍ତି । ମା’ ଆଉ ସାନ ଭଉଣୀ ଚାକିରୀ କରୁଥିବା ବେଳେ ବଡ଼ ଭଉଣୀ ବିବାହ କରିସାରିଛନ୍ତି । ଘଟଣା ଦିନ କେହି ଘରେ ନ ଥିଲେ । ସରୋଜ ଏକୁଟିଆ ଘରେ ଥିଲା । ନାବାଳିକା କୋଳି ଖାଇବାକୁ ଯାଇଥିବା ସମୟରେ ସରୋଜ ତାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ବାଧା ଦେବାରୁ ସରୋଜ ତା’ର ତଣ୍ଟି ଚିପି ହତ୍ୟା କରି ଦେଇଥିଲା । ମୃତ୍ୟୁ ପରେ ନାବାଳିକା ମୃତ ଦେହ ସହିତ ସରୋଜ ଦୁଷ୍କର୍ମ କରିଥିଲା । ଏହା ପୂର୍ବ ରାତିରେ ସରୋଜ ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିଥିଲା ବୋଲି କହିଛି । ଦୁଷ୍କର୍ମ ପରେ ମୃତଦେହ ଏବଂ ତା’ର ଫ୍ରକ୍‌କୁ ଏକ ଝୋଟ ବସ୍ତାରେ ଭର୍ତ୍ତି କରି ପରେ ତାହାକୁ ନେଇ ଘରଠୁ ପ୍ରାୟ ୩୦ ମିଟର ଦୂରରେ ଥିବା ଏକ ପୋଖରୀରେ ପକାଇ ଦେଇଥିଲା । ଝିଅର ଲେଗିଙ୍ଗ୍‌ସ୍‌ ଘଟଣା ସ୍ଥଳରେ ପଡ଼ିଥିଲା । ତାକୁ ଫିଙ୍ଗିବାକୁ ସରୋଜ ଭୁଲି ଯାଇଥିଲା । ପରେ ସେ ଲେଗିଙ୍ଗ୍‌ସକୁ ନେଇ ପୋଖରୀରେ ପିଙ୍ଗିଥିଲା । ସେହି ଲେଗିଙ୍ଗ୍‌ସକୁ ଖୋଜିବା ଲାଗି ଆଜି ଉକ୍ତ ପୋଖରୀକୁ ଶୁଖାଯାଉଛି ବୋଲି ବୋଥ୍ରା ପ୍ରକାଶ କରିଛନ୍‌ନ୍ତି ।

Leave A Reply

Your email address will not be published.