ଦାନା ପାଇଁ ଦାଦନ ଖଟିବେ ଶ୍ରମିକ : ସର୍ଦ୍ଦାର ଆଗରେ ସରକାର ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟି ଯାଇଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ ନିଜ ଘରକୁ ଫେରି ଆସିଥିଲେ ।ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଫେରିବା ପାଇଁ ବଲାଙ୍ଗିର ଜିଲ୍ଲାରୁ ଦେଢ଼ ଲକ୍ଷରୁ ଅଧିକ ଲୋକ ପୋର୍‌ଟାଲ୍‌ରେ ରେଜିଷ୍ଟ୍ରେସନ କରିଥିଲେ । ତେବେ ଟ୍ରେନ, ବସ ଯୋଗେ ହଜାର ହଜାର ସଂଖ୍ୟାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗ୍ରାମର ଲୋକମାନେ ନିଜ ନିଜ ଘରକୁ ଫେରି ଆସିଥିଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସଙ୍ଗରୋଧ କେନ୍ଦ୍ରରେ ରହିଲା ପରେ ଶ୍ରମିକମାନଙ୍କୁ ଟଙ୍କା ମିଳିବ, ଗାଁ ଦାଣ୍ଡରେ କାମ ପାଇବେ। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ସଙ୍ଗରୋଧ ଟଙ୍କା ସମସ୍ତଙ୍କୁ ମିଳିନ ଥିବା ଅଭିଯୋଗ ହୋଇଛି । ଅଭାବୀ ମଣିଷର ଅଭାବୀ ସୁଯୋଗ ନେଇକି ଏବେ ଶ୍ରମିକ ଘରେ ପହଞ୍ଚିଛନ୍ତି ସର୍ଦ୍ଦାର । ପଶ୍ଚିମ ଓଡିଶାର ଗଣପର୍ଵ ନୁଆଁଖାଇ ପୂର୍ବରୁ ସୁଯୋଗ ନେଇ ସେମାନଙ୍କୁ ଟଙ୍କା ମଧ୍ୟ ଦେଇ ସାରିଛନ୍ତି ସର୍ଦ୍ଦାର ମାନେ । ପୁଣି ଗୋଟିଏ ବର୍ଷ ପାଇଁ ବନ୍ଧା ପଡିବେ ଦାଦନ ଶ୍ରମିକ । ତେବେ ଦାଦନ ଖଟିବା ପାଇଁ ପୁଣି ପ୍ରସ୍ତୁତ ହେଉଛନ୍ତି ଅନେକ ଶ୍ରମିକମାନେ । ତେବେ ବଲାଙ୍ଗିର ଜିଲ୍ଲାକୁ କେତେ ସଂଖ୍ୟାରେ ଶ୍ରମିକମାନେ ଫେରିଛନ୍ତି, ତାହା ସ୍ପଷ୍ଟ ଭାବରେ ଜିଲ୍ଲା ପ୍ରଶାସନ ପାଖରେ ହିସାବ ମଧ୍ୟ ନଥିବା ଜଣାପଡିଛି । ତେବେ ଦାନା ପାଇଁ ଦାଦନ ଖଟିବା ପାଇଁ ସଜବାଜ ହେଉଥିବା ବେଳେ ସର୍ଦ୍ଦାର ଆଗରେ ସରକାର ଫେଲ ବୋଲି ଆଲୋଚନା ହେଉଛି ।ଏଭଳି କି ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା, ଟିଟିଲାଗଡ଼, ବେଳପଡା, ମୁରିବାହାଲ, କଣ୍ଟାବାଞ୍ଜି, ତୁରେକେଲା ଭଳି ଅନେକ ଅଞ୍ଚଳର ଲୋକମାନେ ଦାଦନ ଖଟିବା ପାଇଁ ଗୁଜୁରାଟ, ହାଇଦ୍ରାବାଦ ଓ ତାମିଲନାଡୁ ଭଳି ଅନେକ ରାଜ୍ୟକୁ ପ୍ରତ୍ୟେକ ବର୍ଷ ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ସମୟରେ କାମ ନ ପାଇଥିବା ବେଳେ ସର୍ଦ୍ଦାରଠାରୁ ଟଙ୍କା ଆଣିଥିବା ଦାଦନ ଶ୍ରମିକମାନେ କହିଛନ୍ତି । ତେବେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ନିଜ ନିଜ ଜିଲ୍ଲାକୁ ଫେରିବା ପରେ କାମ ଦେବେ, ତେବେ ତାହା ଅଧାବାଟରେ ରହିଗଲା । ନା ମିଳୁଛି କାମ ନା ମିଳୁଛି ଖାଇବା ପାଇଁ । ଅନେକ ଲୋକ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି । ତେବେ ହଜାର ହଜାର ଶ୍ରମିକ ବଲାଙ୍ଗିର ଜିଲ୍ଲାକୁ ଫେରୁଥିବା ବେଳେ ଏସବୁ ତଦାରଖ କରିବା ପାଇଁ ଖୋଦ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବଲାଙ୍ଗିର ଗସ୍ତରେ ଆସିଥିଲେ । ତେବେ ଦୀର୍ଘ ୪ ମାସ ହେଲାଣି ଶ୍ରମିକ ମାନଙ୍କ ପାଖରେ କାମ ନଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ମନରେଗା ଯୋଜନାରେ ମଣିଷ ବଦଲରେ ମେସିନ କାମ କରିଥିବା ଅନେକ ସ୍ଥାନରୁ ଅଭିଯୋଗ ଆସିଛି ।ଏନେଇ ବଲାଙ୍ଗିର ଗ୍ରସ୍ତରେ ଆସିଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିବା ଅନୁଯାୟୀ ଲୋକଙ୍କୁ ଟଙ୍କା ମିଳିଛି ଓ କାମ ମଧ୍ୟ ମିଳିଥିବା ବେଳେ ମୋ ପାଖରେ ଅଭିଯୋଗ ନ ଥିବା କହିଥିଲେ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ପ୍ରଶାସନ କହୁଛି କାମ ଚାଲିଛି, ହେଲେ ଶ୍ରମିକ ଅଭିଯୋଗ କରୁଛନ୍ତି କାମ ମିଳିନାହିଁ । ତେବେ ସୁବିଧାର ସୁଯୋଗ ନେଇ ହାତ ବାନ୍ଧି ବସିଛି ରାଜ୍ୟ ସରକାର । ପୁଣି ଦାନା ପାଇଁ ଦାଦନ ହେବେ ହଜାର ହଜାର ଶ୍ରମିକ । ତେବେ ରାଜ୍ୟ ସରକାର ଦୃଷ୍ଟି ଦେଇ ଶ୍ରମିକମାନଙ୍କୁ କାମ ଯୋଗେଇ ଦେବା ପାଇଁ ଦାବୀ ହେଉଛି।

Leave A Reply

Your email address will not be published.