ନଈକୁ ଡେଇଁ ଦୁଇ ଭଉଣୀ ନିଖୋଜ ଘଟଣା : ୨୪ ଘଣ୍ଟା ପରେ ବି ଓ଼ଡ୍ରାପ ଟିମ୍‌ର ହାତ ଖାଲି, ତଦନ୍ତ କରୁଛି ପୁଲିସ

ତୁଷୁରା, (ଅଜିତ କୁମାର ସାହୁ) : ଏବେ ବି ଦ୍ୱନ୍ଦ୍ୱରେ ଦୁଇ ଭଉଣୀଙ୍କ ନିଖୋଜ ଘଟଣା । ଆତ୍ମହତ୍ୟା ନା ଦୁର୍ଘଟଣା ନା ନିଖୋଜ୍‌….! ସଂଦେହରେ ରହିଛି ଏବେ ବି ମାମଲା । ଗତକାଲି ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳର ବିଶିଷ୍ଠ ବ୍ୟବସାୟୀ ରାମୋତାର ଅଗ୍ରୱାଲଙ୍କ ଦୁଇ ଝିଅ ଘରୁ ଦିନ ୧୧ ଟା ୧୫ମିନିଟରେ ଅନମୋଲ ଅଗ୍ରୱାଲ(୨୨) ଯିଏ କି ଜଣେ ଉଚ୍ଚ ଶିକ୍ଷିତା ଓ ଅନ୍ୟ ଜଣେ ଆଂଚଲ ଅଗ୍ରୱାଲ ବୟସ (୧୯) ଦୁଇ ଭଉଣୀ ଏକ ହିରୋ ସ୍କୁଟି ଡ଼ୁଏଟ୍‌ ଧଳା ରଙ୍ଗର ଯାହାର ନମ୍ବର ଓ. ଡ଼ି ୦୮ଜି ୧୪୨୦ ରହିଥିବା ବେଳେ ପାଖରେ ଦୁଇ ହଳ ଲେଡ଼ିଜ ଚପଲ ବି ବ୍ରିଜ୍‌ ଉପରେ ରହିଥିବା ଦେଖିବାକୁ ମିଳିଥିଲା । ଏମିତିକି ସ୍କୁଟିରେ ଚାବି ବି ଲାଗିଥିବା ବେଳେ ପାଖରେ କେହି ନଥିବାରୁ ଦୁଇ ଜଣ ଯୁବତୀ ବା ମହିଳା ନଦୀ ଭିତରକୁ ଡେଇଁ ପଡ଼ିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ଗାଡି ନମ୍ବରକୁ ପରିବହନ ବିଭାଗର ଆପ୍ସ ରେ ଯାଞ୍ଚ କରିବାରୁ ତାହା ରାମୋତାର ଅଗ୍ରୱାଲଙ୍କ ନାମରେ ଥିବା ଜଣା ପଡ଼ିଥିଲା । ପରେ ସମ୍ପୃକ୍ତ ଗାଡିଟି ଗୁଡଭେଳା ବ୍ଲକ ସଦର ମହକୁମା ଅଧୀନସ୍ଥ ବ୍ୟବସାୟୀ ରାମୋତାର ଅଗ୍ରୱାଲଙ୍କ ବୋଲି ଜଣାପଡିଥିଲା । ଖବର ତୁଷୁରା ଏବଂ ଗୁଡଭେଲା ଅଂଚଳରେ ବ୍ୟାପିବା ପରେ ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ସାଜିଛି । ତେବେ ଦୁଇ ଭଉଣୀ ନିଜ ଘରେ ନିକଟସ୍ଥ ଏକ ଦୋକାନକୁ ଯିବାଚୁ କହି ତୁଷୁରା ତେଲ ନଦୀ ବ୍ରିଜ ଉପରକୁ କେମିତି ଆସିଲେ, ଏବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘର ପାଖ ଦୋକାନକୁ ଯାଉଛୁ କହି ୧୦ କିଲୋମିଟର ଦୁର ଏକ ସ୍କୁଟିରେ ତୁଷୁରା ନିକଟ‌ସ୍ଥ ତେଲ ନଦୀକୁ ଆସିବାର କାରଣ ଏବେ ବି ଅ‌ସ୍ପ‌ଷ୍ଟ ରହିଛି ।

କେତେକ ଲୋକେ ଦୁଇ ଭଉଣୀ ତେଲ ନଦୀ ବ୍ରିଜ ଉପରୁ ତେଲ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା କହୁଥିବା ବେଳେ ଜଣେ ହଳଦିଆ ରଙ୍ଗର ଡ୍ରେସ ତ ଜଣେ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିଥିବା କହୁଥିବା ଶୁଣିବାକୁ ମିଳୁଛି । ଏମିତି କି ନଦୀ ଭିତରେ କେହି କେହି ଯୁବତୀମାନଙ୍କ ହାତ ଉପରକୁ ଉଠି ଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା କହୁଥିବା ଶୁଣିବାକୁ ମିଳିଛି । ତେବେ ଦୁଇ ଭଉଣୀ ଏକା ସାଙ୍ଗରେ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିବା ଘଟଣାକୁ ସ୍ଥାନୀୟ ଲୋକେ ତଥା ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । କେତେକ ଲୋକଙ୍କ କହିବା କଥା ଯେ ବଡ଼ ଭଉଣୀ ଅନମୋଲ ନଦୀରେ ପଡୁଥିବା ଦେଖି ତାକୁ ବଞ୍ଚାଇବାକୁ ଯାଇ ସାନ ଭଉଣୀ ଆଂଚଳ ନିଜ ବଡ଼ ଭଉଣୀକୁ ବଞ୍ଚାଇବାକୁ ଯାଇ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ଆଉ କେହି କେହି ଗୋଟିଏ ଭଉଣୀ ବ୍ରିଜ ଉପରୁ ଖସି ପଡୁଥିବା ବେଳେ ସାନ ଭଉଣୀର ହାତକୁ ଧରି ବଂଚିବା ପାଇଁ ପ୍ରୟାସ କରୁଥିବା ବେଳେ ଦୁଇ ଭଉଣୀ ବ୍ରିଜ ଉପରୁ ତଳକୁ ଖସି ପଡିଲେ ବୋଲି ଚର୍ଚ୍ଚା ହେଉଛି । ଏନେଇ ଆମେ ସମ୍ପୃକ୍ତ ପରିବାର ନିକଟକୁ ଯାଇ ଘଟଣା ସମ୍ପକରେ ପଚାରି ବୁଝିଥିଲୁ । ପରିବାର ବର୍ଗଙ୍କ କହିବା କଥା ଯେ ଦୁଇ ଭଉଣୀ ବେଶ ଶିକ୍ଷିତ, ଭଲ ମନ୍ଦ ନିଜେ ସବୁ ବୁଝି ସୁଝି କାମ କରନ୍ତି । ପରିବାରରେ କେବେ କୌଣସି କଥାକୁ ନେଇ ଯୁକ୍ତିତର୍କ ବି ହୁଏନି । ବେଶ ହସଖୁସିରେ ପରିବାର ଚଳୁଥିଲା । ତେବେ ଦୁଇ ଭଉଣୀ ଘରୁ ନିକଟସ୍ଥ ଏକ ଦୋକାନକୁ ଯିବା ପାଇଁ କହି ତୁଷୁରା କେମିତି ପହଂଚିଲେ ତାହା ଜାଣି ପାରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ପରିବାର ଲୋକେ କିଛି ସଠିକ ଖବର ପାଇ ପାରି ନାହାନ୍ତି । କେବଳ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକେ ଯେମିତି ଖବର ଦେଲେ ସେହି ଭାବରେ ଗ୍ରହଣ କରୁଛନ୍ତି । ହେଲେ ଦୁଇ ଭଉଣୀ ଏକା ସାଙ୍ଗରେ ଆତ୍ମହତ୍ୟା କରିବା ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି । କିଛି ଭିନ୍‌ନ୍ନ ଘଟଣା ଘଟିଥାଇପାରେ ବୋଲି ପରିବାର ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ତେଲ ନଦୀ ଉପରେ ଗାଡି ଏବଂ ଚପଲ ଛାଡି କୁଆଡେ ଚାଲିଯାଇଛନ୍ତି ନା ମୋବାଇଲରେ ସେଲ୍ଫି ଉଠାଇଲା ସମୟରେ ଗୋଟିଏ ଭଉଣୀ ତେଲ ନଦୀ ବ୍ରିଜ ଉପରୁ ତଳକୁ ଖସି ପଡୁଥିବା ଦେଖି ଆଉ ଜଣେ ଭଉଣୀ ବି ନିଜ ବଡ଼ ଭଉଣୀକୁ ବଞ୍ଚାଇବାକୁ ଯାଇ ନଦୀ ଭିତରକୁ ଡେଇଁ ପଡିଲେ ତାହା ବି ସନ୍ଦେହ ଭିତରେ ରହିଛି । ନା ଅନ୍ୟ କୌଣସି କାରଣକୁ ନେଇ ବଡ଼ ଭଉଣୀ ନଦୀ ଉପରୁ ଡେଇଁ ପଡିବା ବେଳେ ସାନ ଭଉଣୀ ବଞ୍ଚାଇବାକୁ ପ୍ରୟାସ କରି ନଦୀ ଭିତରକୁ ଡେଇଁ ପଡିଲେ, ତାହା ବି ସନ୍ଦେହ ରେ ରହିଛି । ତେବେ ଅନମୋଲ ଏବଂ ଆଂଚଲ ଗୁଡଭେଲା ଅଂଚଳରେ ମେଧାବୀ ଛାତ୍ରୀ ଭାବରେ ରହିଥିବା ବେଳେ ଉଭୟ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅନମୋଲ ଉଚ୍ଚ ଶିକ୍ଷା ପାଇଁ ବାହାରେ ରହିଥିବା ବେଳେ ଆଂଚଲ ମଧ୍ୟ ପିଜି କରୁଥିବା ପରିବାର ଲୋକେ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ଗତ କାଲି ଠାରୁ ତୁଷୁରା ପୋଲିସ, ତୁଷୁରା ଦମକଳ ଏବଂ ଓ଼ଡ୍ରାପ ଟିମ୍‌ ନଦୀ ଭିତରେ ଖୋଜିବା ପ୍ରକ୍ରିୟା ଜାରି ରଖିଛନ୍ତି । ଓ଼ଡ୍ରାପ ଟିମ ତୁଷୁରା ତେଲ ନଦୀ ପଠାରୁ ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଦେଇ ଯାଇଥିବା ତେଲ ନଦୀ ପଠାରେ ଖୋଜିବା ଜାରି ରଖିଛନ୍ତି । ହେଲେ ବର୍ତମାନ ସୁଦ୍ଧା ଦୁଇ ଝିଅଙ୍କ କୌଣସି ଖୋଜ ଖବର ମିଳି ନଥିବାରୁ ସ୍ଥାନୀୟ ଅଂଚଳରେ ସଂଦେହ ବଢିବା ସହ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ବି ଲାଗି ରହିଛି । ସସ୍‌ପେନ୍‌ସ୍‌ ଯେତିକି ବଢୁଛି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ସେତିକି ପରିମାଣରେ ବଢ଼ି ଚାଲିଛି । ତେବେ ଦୁଇ ଭଉଣୀଙ୍କ ସନ୍ଧାନ କରିବା ପରେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିବ । ବାସ୍ତବରେ ଦୁଇ ଭଉଣୀ ଜୀବିତ ଅଛନ୍ତି ନା ନଦୀର ସ୍ରୋତରେ ଭାସି ମୃତ୍ୟୁବରଣ କରିଛନ୍ତି… ସେ ସବୁ ଦୁଇ ଭଉଣୀଙ୍କ ପତ୍ତା ମିଳିବା ବା ଶବ ମିଳିବା ପରେ ଜଣାପଡିବ । ହେଲେ ବର୍ତ୍ତମାନ ସମୟରେ ତିନୋଟି ଦିଗକୁ ନେଇ ସସ୍‌ପେନ୍ସ ଜାରି ରହିଛି ଯେ ବାସ୍ତବରେ ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ନା ସେଲ୍ଫି ନେବା ବେଳେ ଖସି ପଡିଛନ୍ତି ନା ଅନ୍ୟ କୌଣସି ଘଟଣା କ୍ରମରେ ସ୍କୁଟି ଓ ଚପଲ ଛାଡି ଫେରାର ହୋଇ ଯାଇଛନ୍ତି । ଏସବୁରୁ ପର୍ଦାଫାଶ ହେବା ଜରୁରୀ ହୋଇପଡିଛି । ଏବେ ଅପେକ୍ଷା ଓ଼ଡ୍ରାପ ଟିମ୍‌ର ସନ୍ଧାନକୁ ନେଇ ।

Leave A Reply

Your email address will not be published.