ଟିଟିଲାଗଡ଼ରେ ଅଲଟ୍ରାସାଉଣ୍ଡ ପାଇଁ ରୋଗୀ ହନ୍ତସନ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ବହୁ ଦୂର ଦୁରାନ୍ତରୁ ଅନେକ ରୋଗୀ ଆସିଥାନ୍ତି । କେବଳ ଟିଟିଲାଗଡ ଚିକିତ୍ସାଳୟକୁ ନୁହେଁ ଏଠାରେ ଥିବା ଛୋଟ ବଡ଼ କ୍ଲିନିକ୍ କୁ ମଧ୍ୟ ବହୁ ଦୂରରୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ରୋଗୀ ଓ ତାଙ୍କ ପରିଜନ ଅଲଟ୍ରାସାଉଣ୍ଡ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଯନ୍ତ୍ର ଥାଇ ମଧ୍ୟ ତାର ଉପଯୋଗ କରା ଯାଉନାହିଁ । ଗର୍ଭବତୀ ମହିଳାଙ୍କୁ ଘରୋଇ କ୍ଲିନିକ୍ ରେ ଅଲଟ୍ରାସାଉଣ୍ଡ କରିବା ପାଇଁ ପଠାଇ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମ୍‌ରେ ମଧ୍ୟ ଅଲଟ୍ରାସାଉଣ୍ଡ ହୋଇ ପାଉନାହିଁ । ଟିଟିଲାଗଡ ସହର ସହିତ ପାଖ ଅଞ୍ଚଳର ରୋଗୀ ମଧ୍ୟ କେବଳ ମାତ୍ର ଅଲଟ୍ରାସାଉଣ୍ଡ ପାଇଁ ନିଜ ଅଞ୍ଚଳରୁ ପ୍ରାୟ ୮୦ କି.ମି. ଦୂର ବଲାଙ୍ଗୀର ଯାଉଛନ୍ତି । କୋରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ଏତେ ଦୂର ଯିବା ଆସିବା ଗରିବ ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ଟିଟିଲାଗଡରେ ଅନେକ ରାଜନୈତିକ ଓ ପ୍ରଶାସନିକ ଉଚ୍ଚ ପଦ ପଦବୀରେ ଥାଇ ମଧ୍ୟ ଟିଟିଲାଗଡ ଜନସାଧାରଣଙ୍କ ଅତ୍ୟନ୍ତ ଜରୁରୀ ଥିବା ସ୍ବାସ୍ଥ୍ୟ ବିଭାଗର ସମସ୍ୟାକୁ ସୁଧାରି ପାରୁନାହାନ୍ତି ବୋଲି ବୁଦ୍ଧଜୀବୀମାନେ ଆଲୋଚନା କରୁଛନ୍ତି । ସେଥିପାଇଁ ଟିଟିଲାଗଡବାସୀ ସ୍ବାସ୍ଥ୍ୟ ବିଭାଗକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଧ୍ୟାନ ଦେବାକୁ ଦାବୀ ଜଣାଇଛନ୍ତି।

Leave A Reply

Your email address will not be published.