ଦେଓଗାଁ : ୫୦ ଲକ୍ଷ ଟଙ୍କାର ମିନି ଷ୍ଟାଡିୟମରେ ପଡିନି ବଲ କି ହୋଇନି ପ୍ରତିଯୋଗିତା : ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁରେ ରହିଛି ଦୁଇ ଦୁଇଟି ଖେଳ ପଡିଆ । ଦେଓଗାଁ ବାଳିକା ହାଇସ୍କୁଲ ପଛପଟେ ଅଛି ନେହେରୁ ଖେଳ ପଡିଆ ଓ ଅନ୍ୟଟି କଲେଜ୍ ପଛପଟେ ରହିଛି ୧୧ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ । ହେଲେ ବାଳିକା ହାଇସ୍କୁଲ ପଛପଟେ ଥିବା ନେହେରୁ ପଡ଼ିଆରେ ସମସ୍ତେ କରୁଛନ୍ତି କ୍ରୀଡ଼ାର ଅଭ୍ୟାସ । ଦେଓଗାଁର ଯୁବକମାନେ ବିଭିନ୍ନ ସମୟରେ ପୋଲିସ ଫୋର୍ସ, ସିଆର୍‌ପିଏଫ୍‌ ପାଇଁ ଇଣ୍ଟରଭ୍ୟୁ ଦେବା ସହ ଶରୀରକୁ ସୁସ୍ଥ ରଖିବାକୁ ଦୌଡ଼ାଦୋୖଡି ପାଇଁ ଏ ନେହେରୁ ପଡିଆ ଉପଯୁକ୍ତ ନୁହେଁ । ହେଲେ ଏହି ପଡିଆଟି ବ୍ୟକ୍ତିଗତ ମାଲିକାନାରେ ଥିବା ଯୋଗୁଁ ଉନ୍ନତି ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ପାରୁନାହିଁ । ନବନିର୍ମିତ ମିନି ଷ୍ଟାଡିୟମ ପଡ଼ିଆରେ ସରକାରୀ ଅନୁଦାନରୁ ଖର୍ଚ୍ଚ କରାଯାଇଛି ୫୦ ଲକ୍ଷରୁ ଅଧିକ ଟଙ୍କା । ହେଲେ କାମ ନିମ୍ନମାନର ହୋଇଥିବାରୁ ଏଠାରେ ଆନୁଷ୍ଠାନିକ ଭାବେ କୌଣସି ମ୍ୟାଚ୍ ଖେଳା ଯାଇନାହିଁ । ଷ୍ଟାଡିୟମରେ ହୋଇଛି କେବଳ ବାଡ଼ ଓ ଗ୍ୟାଲେରୀ କାମ ।

ସେହି ବାଡ଼ ଓ ଗ୍ୟାଲେରୀ ମଧ୍ୟ ନିମ୍ନମାନର । ତେବେ ଏତେ ପରିମାଣର ଅନୁଦାନ ଖର୍ଚ୍ଚ ଅଞ୍ଚଳର କ୍ରୀଡା ଉନ୍ନତି ପାଇଁ ନା ଠିକାଦାର ପୋଷା ପାଇଁ ବୋଲି ଅଞ୍ଚଳର କ୍ରୀଡ଼ାପ୍ରେମୀ ମହଲରେ ଆଲୋଚନା ହେଉଛି । ଯାହାଦ୍ଵାରା ଶିକ୍ଷାନୁଷ୍ଠାନ ଅର୍ଥାତ୍ ଉଚ୍ଚ ବିଦ୍ୟାଳୟକୁ ଆସୁଥିବା ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁଡ଼ିକ ମଧ୍ୟ ଅନ୍ୟ ବିଦ୍ୟାଳୟରେ କରିବାକୁ ବାଧ୍ୟ ହେଉଛନ୍ତି । ଦେଓଗାଁ ବ୍ଲକରେ ସରକାରୀ ଓ ବେସରକାରୀ ଭାବେ ପ୍ରତିବର୍ଷ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ଫୁଟବଲ, କ୍ରିକେଟ୍ , ଶିକ୍ଷାନୁଷ୍ଠାନ ପକ୍ଷରୁ କ୍ରୀଡା ପ୍ରତିଯୋଗିତା ସହ ଆଞ୍ଚଳିକ କ୍ରୀଡ଼ାର ବିକାଶ କରିବା ସହ ଅଞ୍ଚଳର ଯୁବ ଗୋଷ୍ଠୀ ସୁସ୍ଥ ରହିବା ସଂଗେ ସଂଗେ ବିଭିନ୍ନ ଚାକିରୀରେ ଲଗାଇ ପାରିବେ, ତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଏହି ମିନି ଷ୍ଟାଡିୟମ୍ । ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଆସିଥିଲା ୫୦ଲକ୍ଷରୁ ଅଧିକ ଟଙ୍କା । ଏଥିରେ କେତେ ଟଙ୍କାର କାମ ହୋଇଛି ଓ କେତେ ଟଙ୍କା ଠିକାଦାରର ପେଟ ପୋଷିବା ପାଇଁ ଯାଇଛି, ତାକୁ ତଦନ୍ତ କରିବାକୁ ଦାବୀ ହେଉଛି ।
ଏହି ଷ୍ଟାଡିୟମର ଉନ୍ନତି କରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୮ଲକ୍ଷ ଟଙ୍କା ଗ୍ୟାଲେରୀ ନିର୍ମାଣ କରାଯାଇଥିଲା । ହେଲେ ଏ ପଡ଼ିଆର କୌଣସି ଭାବ ଢଙ୍ଗ ନ ଥିବାରୁ ଏପର୍ୟ୍ୟନ୍ତ ଗୋଟେ ମଧ୍ୟ ପ୍ରତିଯୋଗିତା ହୋଇନାହିଁ । ପ୍ରସ୍ତୁତି ସରିଥିବା ଗ୍ୟାଲେରୀରେ ଦୀର୍ଘ ଦିନରୁ ଫାଟ ସୃଷ୍ଟି ହେଲାଣି, ଯାହା ଫଳରେ ଗ୍ୟାଲେରୀ ମଧ୍ୟ ନିମ୍ନମାନର କାମ ହୋଇଥିବା ଜଣାପଡୁଛି । ଗ୍ୟାଲେରୀ ଫାଟି ଆଁ କରିଛି । ଷ୍ଟାଡିୟମ୍ ଭିତରେ ୫ଲକ୍ଷ ଟଙ୍କାର ଏକ ଡ୍ରେସିଂ ରୁମ୍ ମଧ୍ୟ ତିଆରି କରାଯାଇଛି, ହେଲେ ଏ କୋଠକୁ ପ୍ଲାଷ୍ଟର ମଧ୍ୟ କରାଯାଇନାହିଁ । ଏହି କୋଠା ନିର୍ମାଣର କାର୍ଯ୍ୟାରମ୍ଭ ଓ କାର୍ୟଶେଷ ତାରିଖ ମଧ୍ୟ ଲେଖାଯାଇନାହିଁ । ଯାହାଫଳରେ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି ।

କୋଠାରେ କବାଟ ମଧ୍ୟ ଲଗା ଯାଇନଥିବାରୁ ମଦଆଡ଼୍‌ଡ଼ା ଭାବେ ଏହା ବ୍ୟବହାର ହେଉଛି । ଏ କୋଠା ପାଖରେ ଅଛି ଗୋଟେ ନଳକୂପ । କୌଣସି ମ୍ୟାଚ୍ ବା ଟୁର୍ଣ୍ଣାମେଣ୍ଟ ହେଉନଥିବାରୁ ଏହା ସାଧାରଣ ଲୋକଙ୍କ କାମରେ ଲାଗୁଛି । କିଛି ଲୋକେ ସେଠାକୁ ଯାଇ ଶୌଚ ହେବା ସହ ଗାଧୋଉଥିବା ମଧ୍ୟ ନଜରରେ ରହିଛି।
ସୂଚନଯୋଗ୍ୟ ଯେ, ଗତ ୧୧ବର୍ଷ ପୂର୍ବେ ଦେଓଗାଁ କଲେଜ୍ ପଛ ପଟେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ହୋଇଥିଲା ଭିତ୍ତପ୍ରସ୍ତର ସ୍ଥାପନ । ଷ୍ଟାଡିୟମ୍ କାମ ସରିଛି, ହେଲେ ଏ ପର୍ୟ୍ୟନ୍ତ ଖେଳାଯାଇନି ଗୋଟିଏ ବି ପ୍ରତିଯୋଗିତା । ପ୍ରତିବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଯେ କୌଣସି ଖେଳ ପ୍ରତିଯୋଗିତା ହେଲେ ଏତେ ଟଙ୍କାରେ ନିର୍ମାଣାଧୀନ ଷ୍ଟାଡିୟମରେ ନ ହୋଇ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ପୁରୁଣା ନେହେରୁ ପଡ଼ିଆରେ ଆୟୋଜନ କରିଥାନ୍ତି । ଯାହା ଫଳରେ ପ୍ରକୃତରେ କ୍ରୀଡ଼ାପ୍ରେମୀ ପାଇଁ ନା ଠିକାଦାର ପୋଷା ପାଇଁ ଏ ଷ୍ଟାଡିୟମ୍ ନିର୍ମାଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ଏହି ଷ୍ଟାଡିୟମଟି କେଉଁ ଖେଳ ଖେଳା ଯିବା ପାଇଁ ପ୍ରସ୍ତୁତ କରାଯାଇଛି ତାହା କେହି ବି ଜାଣି ନାହାନ୍ତି । ଫୁଟବଲ, କ୍ରିକେଟ୍ ଖେଳିବାର ପଡିଆ ପରି ନାହିଁ ଏହି ଖେଳ ପଡିଆର ଆକୃତି । ପଡ଼ିଆରେ ଘାସ ଆଣ୍ଠୁଏ ହୋଇଯାଇଛି । ଏହି ମିନି ଷ୍ଟାଡିୟମକୁ ଯିବାକୁ ରାସ୍ତା ନିର୍ମାଣ ପାଇଁ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ଏବେ ଏହି ରାସ୍ତାରେ କୌଣସି ଗାଡି ମଟର ଯିବା ଆସିିିବା କରୁ ନ ଥିଲେ ହେଁ ଏ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିଛି। କରାଯାଇଥିବା କଂକ୍ରିଟ କାମ ବର୍ଷାରେ ଧୋଇ ଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.