ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ୟୁଥ ରେଡକ୍ରସ, ରେଡରିବନ୍ କ୍ଲବ, ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଆୟୋଜିତ ଏହି ଶିବିରକୁ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ରକ୍ତଦାନର ଉପକାରିତା ଓ ତାର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହି ଶିବିରରେ ମହାବିଦ୍ୟାଳୟର ତିରିଶ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ବଲାଙ୍ଗିର ରକ୍ତଭଣ୍ଡାରର ଡକ୍ଟର ଅଶୋକ କୁମାର ମିଶ୍ର, ଜ୍ୟୋତିର୍ମୟୀ ନାଏକ, ଶେଖ୍ ଅବଦୁଲ ଆସରଫ, ଦେବାଶିଷ ମିଶ୍ର, ସଜନ ରଣା ଓ ସୁଶିଲ ସୁନା ରକ୍ତ ସଂଗ୍ରହ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୈତାରି ଶବର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟନାଣ୍ଟ ଗୋପାଳ ସାହୁ, ୟୁଥ ରେଡକ୍ରସର ସଂଯୋଜକ ଡକ୍ଟର ଲିଙ୍ଗରାଜ ମେହେର ଓ ରୂପେଶ ଷାଣ୍ଢଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ସମସ୍ତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ବିଶେଷ ସହଯୋଗ କରିଥିଲେ ।
Next Post