ଆଜି ମା’ଙ୍କ ଶାନ୍ତ-କାନ୍ତ-କୋମଳ-କମନୀୟ ବେଶ ‘ରାଜରାଜେଶ୍ୱରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟସବୁ ଦେବୀ ପୀଠରେ ମା’ ରାଜରାଜେଶ୍ୱରୀ ରୂପରେ ପୂଜା ପାଉଛନ୍ତି । ପୌରାଣିକ କଥାବସ୍ତୁ ଅନୁସାରେ ମା’ ମହିଷାସୁରକୁ ବିନାଶ କରି ସାରିବା ପରେ ସଂପୂର୍ଣ୍ଣ ଶାନ୍ତ ରୂପ ଧାରଣ କରନ୍ତି । ତାଙ୍କ ଭିତରେ ରହିଥିବା ସମସ୍ତ କ୍ରୋଧାଗ୍ନି ନିର୍ବାପିତ ହୋଇଯାଇଥାଏ ।

ଶାନ୍ତ କାନ୍ତ କୋମଳ କମନୀୟ ବେଶରେ ଭକ୍ତଙ୍କୁ ଆଶୀର୍ବାଦ ଦେବା ମୁଦ୍ରାରେ ମା’ ବିଜୟା ଦଶମୀ ଦିନ ଉଭା ହୁଅନ୍ତି ଧରାପୃଷ୍ଠରେ । ତାଙ୍କ ବିଜୟ ଉତ୍ସବ ପାଳନ ଅବସରରେ ବିଜୟା ଦଶମୀରେ ଅପରାଜିତା ପୂଜା ମଧ୍ୟ ଅନୁଷ୍ଠିତ ହୁଏ । ନବଦୁର୍ଗା ବେଶର ସମାପ୍ତି ପରେ ଶେଷରେ ମା’ ଆବିର୍ଭୂତ ହୁଅନ୍ତି ରାଜରାଜେଶ୍ୱରୀ ବେଶ ନେଇ । ଏହି ବେଶରେ ମା’ ବିଶ୍ରାମ କରନ୍ତି ବୋଲି ମଧ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି ।

ମା’ଙ୍କ ଏହି ବେଶ ସମୟରେ ସାଧକମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ସମର୍ପଣ ଭାବ ନେଇ ମା’ଙ୍କୁ ପୂଜା କରନ୍ତି ଓ ମା’ଙ୍କ କାନ୍ତ କୋମଳ କମନୀୟ ମୂର୍ତ୍ତିରେ ବିମୁଗ୍ଧ ହୋଇ ସଂସାର ବାସନାରୁ ବିଚ୍ୟୁତ ହୋଇଥାନ୍ତି । ରାଜରାଜେଶ୍ୱରୀ ବେଶରେ ଦେବୀ ଅତ୍ୟନ୍ତ ଆକର୍ଷଣୀୟ ଓ ଶାନ୍ତ ଅବସ୍ଥାରେ ଥାଆନ୍ତି ଓ ଭକ୍ତଙ୍କ ପାଇଁ କେବଳ ଆଶୀର୍ବାଦ ହିଁ ପ୍ରଦାନ କରିଥାନ୍ତି ବୋଲି କଥିତ ଅଛି ।

Leave A Reply

Your email address will not be published.