ବଲାଙ୍ଗିର, (କେପିଏନ୍ଏସ୍) : ଏବେ ପ୍ରତ୍ୟହ ମୁଣ୍ଡ ନେଇ ଚାଲିଛି କରୋନା । ଲୋକେ ଆତଙ୍କିତ । ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ଇଂ.ନାରାୟଣ ନାଏକ(୫୪)ଙ୍କ ଦେହାନ୍ତ ହୋଇ ଯାଇଥିବା ଖବର ମିଳିଛି । ଜିଲ୍ଲା ଗୋଣ୍ଡ ସମାଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଇଂ.ନାଏକ କିଛି ଦିନ ହେଲା କରୋନା ଆକ୍ରାନ୍ତ ହେବା ପରେ ବିଶାଖାପାଟଣାର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ଇଂ. ନାରାୟଣ ନାଏକ ଭବାନୀପାଟଣାରେ ପିଡବ୍ଲ୍ୟୁଡି ଇଂଜିନିୟର ଭାବରେ କାର୍ଯ୍ୟରତ ଥିଲେ । ସ୍ତ୍ରୀ ଏବଂ ତାଙ୍କ ଦୁଇ ପୁଅଙ୍କୁ ସେ ଛାଡ଼ି ଚାଲିଗଲେ । କୁହାଯାଇଛି ଯେ, ପ୍ରଥମେ ସେ କରୋନା ସଂକ୍ରମିତ ହେବା ପରେ ଭବାନୀପାଟଣାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଭୁବନେଶ୍ୱର ସୋମ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ପରିବର୍ତ୍ତନ ନହେବା ଯୋଗୁଁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ଗୋଣ୍ଡ ସମାଜର ସେ ଜଣେ ଉତ୍ତମ ସଂଗଠକ ଥିଲେ ବୋଲି ଜିଲ୍ଲା ଗୋଣ୍ଡ ସମାଜ ପକ୍ଷରୁ କୁହାଯାଇଛି । ଶାନ୍ତ, ମେଳାପୀ, ପରୋପକାରୀ ତଥା ବନ୍ଧୁବତ୍ସଳ ଇଂ.ନାରାୟଣ ନାଏକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ସମାଜର ବନ୍ଧୁବର୍ଗ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ବୁଢ଼ା ଦେଓ ତାଙ୍କର ଡୁମାକୁ ସଦ୍ଗତ କରନ୍ତୁ, ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗୋଣ୍ଡ ପରିବାର ତରଫରୁ ଗଭୀର ସମବେଦନା ଜଣାଇବା ସହ ଧର୍ୟ୍ୟ ଓ ସାହସ ଦିଅନ୍ତୁ ବୋଲି ଗୋଣ୍ଡ ସମାଜ ପକ୍ଷରୁ କୁହାଯାଇଛି ।