jayashree

ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ ପ୍ରଶାସନର ଚିଠି : ପ୍ରତିବାଦ କଲେ ସାମ୍ବାଦିକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସତ୍ୟ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ ପ୍ରଶାସନର ପକ୍ଷରୁ ଚିଠି କରାଯାଇ ଗଣମାଧ୍ୟମର କଣ୍ଠରୋଧ କରିବାର ହୀନ ପ୍ରୟାସ କରୁଛି ରାୟଗଡ ଜିଲ୍ଲା ପ୍ରଶାସନ । ପ୍ରଶାସନର ଏଭଳି ହୀନ କାର୍ଯ୍ୟ ବିରୁଦ୍ଧରେ ରାୟଗଡାର ସାମ୍ବାଦିକ ସମୂହ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ନିର୍ବାଚନ ଗଣତି କେନ୍ଦ୍ରରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନରେ ବିଳମ୍ବ ହେବା ସହ ଅବ୍ୟବସ୍ଥା ରହିଥିଲା । ଯାହାକୁ ନେଇ ସେସମୟରେ ବାରମ୍ବାର କହିବା ପରେ ବି ତାହା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ସେହି ସମୟରେ ସାମ୍ବାଦିକମାନେ ଆବ୍ୟବସ୍ଥାକୁ ନିନ୍ଦା କରିବା ସହ ଧାରଣାରେ ବସିଥିଲେ । ବସିବା ପରେ ପ୍ରଶାସନିକ ଅଧିକାରୀ ଅବ୍ୟବସ୍ଥା ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଆବ୍ୟବସ୍ଥାକୁ କିଛି ମାତ୍ରାରେ ସଜାଡ଼ି ସାମ୍ବାଦିକଙ୍କୁ ଡାକିଥିଲେ । ଚଳିତ ମାସ ୧୪ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକରେ ବୈଦ୍ୟୁତିକ ଗଣମାଧ୍ୟମଙ୍କୁ ଆବଶ୍ୟକ ପ୍ରତିକ୍ରିୟା ନିମନ୍ତେ ପ୍ରଶାସନର ଅସହଯୋଗକୁ ନେଇ ଅଭିଯୋଗ ଓ ଅନେକ ବୈଠକରେ ଗଣମାଧ୍ୟମକୁ ଫୋଟ ଭିଡ଼ିଓ ନେଇ ଚାଲିଯିବାକୁ କହିବା ସହିତ ସାମ୍ବାଦିକଙ୍କ ବିନା ମତାମତରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଥିବା ଅଭିଯୋଗ ଏବଂ ଜିଲ୍ଲାରେ ଜେକେ ନିକଟରେ ଶିଶୁ ବିକ୍ରି ସହ ଗୁଣୁପୁରରେ ମଧ୍ୟ ଶିଶୁ ବିକ୍ରି ଘଟଣା ଏବଂ ବେନିୟମ ପୋଷ୍ୟ ସନ୍ତାନ ଗ୍ରହଣ, ନିୟମଗିରିରେ ଶହ ଶହ ଡଙ୍ଗରିଆ ଦାଦନ ଖଟିବାକୁ ପଳାୟନ, କାଶୀପୁରରେ ଏବେ ବି ଆମ୍ବ ଟାକୁଆକୁ ଖାଦ୍ୟ ରୂପେ ବ୍ୟବହାର, ମନରେଗା ଯୋଜନାରେ ଦୁର୍ନୀତି, ବିଧାନ ସଭାରେ ଚଇତି ଖର୍ଚ୍ଚ ଉପରେ ଭ୍ରମାତ୍ମକ ଉପସ୍ଥାପନ କରାଇବା, ଜିଲ୍ଲାରେ ଅନ୍ତେବାସୀଙ୍କ ମୃତ୍ୟୁ ଭଳି ଅନେକ ଉନ୍ନୟନ ଦୁର୍ବଳ ପ୍ରକ୍ରିୟା ଉପରେ ଗତଦିନରେ ସାମ୍ବାଦିକମାନେ ଅତି ଉପାଦେୟ ତଥ୍ୟ ଭିତ୍ତିକ ସତ୍ୟ ସମ୍ବାଦ ଉପସ୍ଥାପନ କରିବାରୁ ପ୍ରଶାସନର ଆକ୍ରୋଷର ଶିକାର ହୋଇଛନ୍ତି । ସରକାରୀ ସଭାରେ କେବଳ ଏକ୍ରେଡିସନ ସାମ୍ବାଦିକ ରହିପାରିବେ କହି ରାୟଗଡ଼ା ଏମ୍‌ଏଲ୍‌ଏଙ୍କ ଦ୍ଵାରା ନିନ୍ଦିତ ହୋଇଛି ପ୍ରଶାସନ । ତେଣୁ ଔଷଧ ବିକଳରେ ତାଟିଆ କାମୁଡା ନୀତିରେ ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଆଇପିଆର୍‌ଓ କିଛି ସାମ୍ବାଦିକଙ୍କ କାର୍ଯ୍ୟାଳୟକୁ ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ତଥ୍ୟ ସହ ମନଗଢ଼ା ଚିଠି ଦେଇଛନ୍ତି । କାହାକୁ ମଦୁଆ, କାହାକୁ ଗୁଣ୍ଡା ଭଳି ଶବ୍ଦ ବ୍ୟବହାର କରି ସରକାର ଓ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଅତି ବିଭତ୍ସ ଚିଠି ଲେଖିଛନ୍ତି । ଏହାଦ୍ୱାରା ସାମ୍ବାଦିକଙ୍କ ମାନ ହାନି ଘଟିବା ସହ ନିଜ ସାମ୍ବାଦିକ ବୃତ୍ତି ପ୍ରତି ଅପମାନ ମଧ୍ୟ ହୋଇଛି । ଏହାକୁ ନେଇ ସମୂହ ସାମ୍ବାଦିକ ଏକତ୍ର ହୋଇ ବୈଠକ ଭଣ୍ଡୁର କରିବା ଓ ସାମ୍ବାଦିକମାନେ ମଦ୍ୟପାନ କରିବା କଥାକୁ ଡିଆଇପିଆର୍‌ଓ କେମିତି ଜାଣିଲେ ପ୍ରମାଣ ଦେବାକୁ ହେବ ବୋଲି ସାମ୍ବାଦିକମାନେ ଦାବି କରିବା ସହ ଘଟଣାର ଅନୁଧ୍ୟାନ କରି ଆସନ୍ତା ୭ ଦିନ ଭିତରେ ନିଜର ପକ୍ଷ ରଖିବା ପାଇଁ ରାୟଗଡା ସାମ୍ବାଦିକ ସମୂହ ଦାବି କରିଛନ୍ତି । ଏନେଇ ସାମ୍ବାଦିକ ସମୂହ ଡେପୁଟି କଲେକ୍ଟରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.