ଖବର ପ୍ରସାରଣ ପରେ ପ୍ରଶାସନର ତାତ୍ପରତା : ବିନା ଡ଼ାକ୍ତରରେ ପ୍ରସବ ଘଟଣା, ତଦନ୍ତ ଆରମ୍ଭ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଡ଼ାକରଖାନାରେ ନର୍ସଙ୍କ ଦ୍ୱାରା ପ୍ରସବ ଓ ନବଜାତକକୁ ଜନ୍ମ ଜଣେ ମହିଳାଙ୍କ ୫ ଘଣ୍ଟା ପରେ ମୃତ୍ୟୁ ହୋଇଯାଇଥିବା ନେଇ ଗତ ୧୩।୧ ।୨୦୨୧ ତାରିଖ ଦିନ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ତାତ୍ପରତା ଦେଖା ଦେଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ନିଜ ଟିମ୍‌ ସହ ତୁଷୁରା ଚିକିତ୍ସାଳୟକୁ ଆସି ଏକ ବନ୍ଦ କୋଠରୀରେ ପ୍ରାୟ ଦୁଇ ଘଣ୍ଟା ଧରି ଘଟଣା ସମୟରେ ଦାୟିତ୍ୱରେ ଥିବା ଦୁଇ ନର୍ସଙ୍କୁ ଜୋରା କରିବା ସହ ତଦନ୍ତ କରିଥିଲେ । କିନ୍ତୁ ଉକ୍ତ ନର୍ସ ବିରୋଧରେ କିଛି ବି କାର୍ୟ୍ୟନୁଷ୍ଠାନ ଗ୍ରହଣ ନକରାଯିବା ପଛରେ କି ରହସ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ ଏନେଇ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହଛନ୍ତି ଯେ, ଗୋଟିଏ ପକ୍ଷର ଜୋରା ହୋଇଛି, ଏବେ ଅନ୍ୟପକ୍ଷର ଜୋରା କରାଗଲା ପରେ କିଛି କାର୍ୟ୍ୟାନୁଷ୍ଠାନ ନିଆଯିବ । ସୂଚନା ଯୋଗ୍ୟ ଯେ, ତୁଷୁରା ସହରର ରାମ ପଟ୍ଟନାୟକଙ୍କ ସ୍ତ୍ରୀ ସୁନୀତା ପଟ୍ଟନାୟକ (୩୦)ଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ତୁଷୁରା ଡ଼ାକ୍ତରଖାନକୁ ଆଣାଯାଇଥିବା ବେଳେ ଡ଼ାକ୍ତର ଛୁଟିରେ ଥିଲେ । ଏହା ସତ୍ତେ୍ୱ ମଧ୍ୟ ଉପସ୍ଥିତ ଥିବା ନର୍ସମାନେ ସ୍ୱାଭାବିକ ପ୍ରସବ ହୋଇଯିବ କହି ସୁନୀତାଙ୍କୁ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ । ଏହାପରେ ସୁନୀତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ରକ୍ତଶ୍ରାବ କମି ନଥିବା ଯୋଗୁଁ ଶେଷରେ ବଲାଙ୍ଗିର ନେବା ପାଇଁ ପରିବାରର ଲୋକଙ୍କୁ କୁଆଡେ ନର୍ସମାନେ କହିଥିଲେ । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପହଂଚିବା ପରେ ଡ଼ାକ୍ତର କହିଥିଲେ ଯେ, ପ୍ରଚୂର ପରିମାଣରେ ରକ୍ତଶ୍ରାବ ହେବା ଯୋଗୁଁ ମା’କୁ ବଂଚାଇବା ସମ୍ଭବ ହୋଇପାରଲା ନାହିଁ ।  ତେବେ ଏବେ ତୁଷୁରା ଡାକ୍ତରଖାନାକୁ ନେଇ ଜୋର ଚର୍ଚ୍ଚା ହେଉଥିବା ବେଳେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.