ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ୫ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ଗତ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା । ସେ ସମ୍ପର୍କରେ ଜୁନାଗଡ଼ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି । ରାଜପୁର ଗ୍ରାମର ବୈଶାନର ନାଏକ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ୩୧ ତାରିଖରେ ୧୦ରୁ ଉର୍ଦ୍ଧ୍ୱ ଡକାୟତ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କଳାହାଣ୍ଡି ଏସ୍‌ପି ଅଭିଲାସ ଜୀଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଏହାର ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା, ସୁନାହାର, ମଙ୍ଗଳସୁତ୍ର ଓ ୫ଟି ମୋବାଇଲ ଜବତ କରିଛି । ଏନେଇ ଜୁନାଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ଼ ଏସ୍‌ଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ କଳାହାଣ୍ଡିର ଓ ୨ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବାବେଳେ ଏହି ଡ଼କାୟତି ଘଟଣାରେ ଆହୁରି ୮ ଜଣ ରହିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ସେହିପରି ଏହି ଗ୍ୟାଙ୍ଗ ଜିଲ୍ଲାର ଜୟପାଟଣା ଥାନା ରଜାମୁଣ୍ଡା ଗ୍ରାମରେ ହୋଇଥିବା ଡ଼କାୟତି ଘଟଣାରେ ମଧ୍ୟ ସାମିଲ ଥିବା ଏସ୍‌ଡିପିଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଜୟପାଟଣା ଆଇଆଇସି ଶେଷଦେବ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.