କରୋନା ମାଡ଼ରେ ଫିକା ପଡ଼ିବ ନୂଆଁଖାଇ ପର୍ବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ନୂଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ । ଗାଁ ଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ, ଗରିବ ଠୁ ଧନୀ କିଛି ଫରକ୍ ନାହିଁ । ସମସ୍ତେ ସମାନ ଭାବରେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ । ଏହା ଏକ ଚାଷୀ ଭିତ୍ତିକ ପର୍ବ । ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଆସିବାକୁ ମନ ବ୍ୟାକୁଳ ହୋଇଥାଏ । ସତେ ଯେପରି ନିଜ ଗ୍ରାମ ପ୍ରତି ଆଗ୍ରହ ଏବଂ ପର୍ବକୁ ସମ୍ମାନ ସମସ୍ତଙ୍କ ଭିତରେ । ଉକ୍ତ ପର୍ବ ଆଗରୁ ସମସ୍ତେ ଘରଦ୍ଵାର ଲିପାପୋଛା କରିଥାନ୍ତି ଓ ପ୍ରାୟତଃ ସମସ୍ତଙ୍କ ପାଇଁ ନୂଆଁ ବସ୍ତ୍ର କିଣା ଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପ୍ରଥମେ ଗଣେଶଜୀଙ୍କର ପୂଜା ହୁଏ, ଯାହାକି ପ୍ରତ୍ୟେକ ଗ୍ରାମ, ସ୍କୁଲ ଓ ମନ୍ଦିର ଗୁଡ଼ିକରେ ପାଳନ କରାଯାଇଥାଏ ଓ ତା ପରଦିନ ଗଣପର୍ବ ନୂଆଁଖାଇ । ଘରର ମୁଖିଆ ଖେତକୁ ଯାଇ ନୂଆଁ ଧାନ ଆଣିଥାନ୍ତି ଓ ତାକୁ ପୂଜାର୍ଚ୍ଚନା କରି ଘରେ ରଖିଥାନ୍ତି ଏବଂ ସେହି ଧାନକୁ ଢେଙ୍କିରେ କୁଟାଯିବା ପରେ ତାକୁ ଚୁଡ଼ା କୁଣ୍ଢା ବନା ଯାଇଥାଏ । ମଣ୍ଡା ପିଠା, ଖିରି ଓ ନାନାଦି ପିଠାପଣା କରି ଘରର ଇଷ୍ଟ ଦେବାଦେବୀଙ୍କୁ ପୂଜାବିଧି କରିବା ପରେ ଘରର ମୁଖିଆ ସମସ୍ତଙ୍କୁ ନୂଆଁ ଧାନରେ ପ୍ରସ୍ତୁତ ଚୂଡାକୁଁଡ଼ା ଦେବାପରେ ସମସ୍ତେ ଏକା ସାଙ୍ଗରେ ଖାଇଥାନ୍ତି । ଇଷ୍ଟ ଦେବାଦେବୀଙ୍କୁ ପ୍ରଣାମ କଲାପରେ ସମସ୍ତେ ସମସ୍ତ ବଡ଼ ଲୋକଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥାନ୍ତି ଓ ସାନ ମାନଙ୍କୁ ଆଶିର୍ବାଦ କରିଥାନ୍ତି । ‌ଏହା ହେଉଛି ନୂଆଁଖାଇ । ତାପରେ ଛାଡ଼ଖାଇ । ଏହି ଦିନ ବିଶେଷ କରି ଭୋଜିଭାତର ଆୟୋଜନ ହୋଇଥାଏ । କିନ୍ତୁ ଏବର୍ଷ କରୋନା ମହାମାରୀ ରୂପ ନେଉଥିବା ଯୋଗୁଁ ସବୁ ଫିକା ଫିକା ଜଣା ପଡ଼ୁଛି ।

Leave A Reply

Your email address will not be published.