- ଅଗ୍ନିଶମ ବାହିନୀ ପାଣିରେ ଖୋଜି ନାକେଦମ୍
- ପୋଖରୀ ନିକଟ କପା କିଆରୀରୁ ସୁରକ୍ଷିତ ଉଦ୍ଧାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଥିଲା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋର ୪ଟା ସମୟରେ ଗାଁର ସ୍ୱର୍ଗତ ନିରଞ୍ଜନ ବାଗଙ୍କ ସ୍ତ୍ରୀ ତୀରବାନି ବାଗ (୮୦) ଗାଁ ବନ୍ଧକୁ ଗାଧୋଇବା ପାଇଁ ଅନ୍ୟ ମହିଳାଙ୍କ ସହ ଯାଇଥିଲେ । ହେଲେ ସାଙ୍ଗରେ ଯାଇଥିବା ମହିଳାମାନେ ବନ୍ଧ ପାଖକୁ ଗଲା ପରେ ବୃଦ୍ଧା ଜଣକ କେଉଁଆଡ଼େ ଉଭାନ ହୋଇଗଲେ ଯେ ତାଙ୍କୁ ଆଉ ଦେଖିବାକୁ ପାଇନଥିଲେ । ଏନେଇ ତୀରବାନିଙ୍କ ପୁଅ ଚନ୍ଦ୍ର ବାଗକୁ ସେମାନେ ଖବର ଦେଇଥିଲେ । ପରିବାର ଓ ଗ୍ରାମବାସୀ ପାଣି ଭିତରେ ବହୁ ଖୋଜାଖୋଜି କରିବା ସହିତ ମୁରିବାହାଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବନ୍ଧ ପାଣି ଭିତରେ ପଶି ତନ୍ନ ତନ୍ନ କରି ଯାଞ୍ଚ କରି ନାକେଦମ ହୋଇ ବୃଦ୍ଧା ଜଣକଙ୍କ କୌଣସି ସନ୍ଧାନ ପାଇନଥିଲେ । କିଛି ସମୟ ପରେ ଗାଁର ମହିଳାମାନେ କପା ତୋଳିବା ପାଇଁ ଧାଡି ହୋଇ ତୋଳିବା ସମୟରେ ବୃଦ୍ଧାଟି ବନ୍ଧରୁ ୩ ଶହ ମିଟର ଦୂରରେ ପଡିଥିବା ଦେଖିବାକୁ ପାଇଥିଲେ । ଗୋଟିଏ ବାଲଟି ଧରି ସେ ଶୌଚ ଯାଇଥିବା ସମୟରେ କପା କିଆରି ଭିତରେ ବାଟବଣା ହୋଇଯାଇ ପଡିଯାଇଥିଲେ । ସେଥିରୁ ଆଉ ସେ ବାହାରି ପାରିନଥିଲେ । ଗ୍ରାମବାସୀଙ୍କ ସହଯୋଗରେ କପା କିଆରୀରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧା ଜଣକ ସୁସ୍ଥ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।
ଖବର ପ୍ରସାରିତ ହେଲା ପରେ ବୃଦ୍ଧା ଜଣକ ନୂଆ ଜୀବନ ପାଇଲେ ଆଉ କିଛି ହେବେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ଏକ ବଡ ଅଘଟଣରୁ ସେ ରକ୍ଷା ପାଇଯିବା ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ମୁରିବାହାଲ ଦମକଳ ବାହିନୀ କର୍ମଚାରୀ ବୃଦ୍ଧାଙ୍କୁ ଖୋଜିବାକୁ ଯାଇ ବନ୍ଧ ପାଣିରେ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା ।