ଜଳ ପ୍ରପାତରେ ନିଖୋଜ ହେଲେ ଯୁବକ

ବଣାଇ, (ନାରାୟଣ/ହବିବ) : ବଣାଇଠାରୁ ଅନତି ଦୂରରେ ଗୁରୁଣ୍ଡିଆ ବନେଇକେଲା ପଂଚାୟତ । ଏଇଠୁ ଆରମ୍ଭ ହୁଏ ଦୁର୍ଗମ ବନାଞ୍ଚଳ । ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଟାଣିଆଣେ ପର୍ୟଟକଙ୍କୁ । ଗତକାଲି ରାଉରକେଲା ଛେଣ୍ଡ କଲୋନୀରୁ ଚାରି ବନ୍ଧୁ ଛୁଟିରେ ଆସିଥିଲେ ଅନ୍ୟତମ ପ୍ରକୃତିର ସୁନ୍ଦର ଜଳପ୍ରପାତକୁ ବୁଲିବା ପାଇଁ । ପ୍ରପାତର ଅପୂର୍ବ ଛଟାରେ ବିମୋହିତ ହୋଇ ବିପଦ ପୂର୍ଣ୍ଣ କୁଣ୍ଡରେ ଗାଧୋଇବା ପାଇଁ ଚାରି ବନ୍ଧୁ ଓହ୍ଲେଇ ଗଲେ । ଗଭୀର ପ୍ରପାତର କ୍ଷୀପ୍ର ସ୍ରୋତରେ ଜୟ କୃଷ୍ଣ ସାହୁ ନିଖୋଜ ହୋଇଗଲେ । ପଥର ଖୋଳ ଦେଇ ପ୍ରବାହିତ ସ୍ରୋତରେ କେଉଁ କୁଆଡେ ଜୟକୃଷ୍ଣ ନିଖୋଜ ହେବାରୁ ବ୍ୟସ୍ତ ହୋଇ ଅନ୍ୟ ବନ୍ଧୁ ମାନେ ଅନେକ ଖୋଜାଖୋଜି କରି ନିରାଶ ହୋଇ ଗୁରୁଣ୍ଡିଆ ଥାନା ଏବଂ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ । ବହୁ ଖୋଜିବା ପରେ ବି କୌଣସି ପତ୍ତା ମିଳିନାହିଁ । ସନ୍ଧ୍ୟା ହେବାରୁ ସକାଳୁ ପୁଣି ଖୋଜିବା ସ୍ଥିର ହେଲା । ବନବିଭାଗର ବାରଣ ଏବଂ ତାଗିଦ ସତ୍ୱେ ପର୍ଯ୍ୟଟକ ମାନେ ଜୀବନକୁ ବାଜି ଲଗାଇ ଏଇ ବିପଦସଂକୁଳ ସ୍ଥାନକୁ ଆସିଥାନ୍ତି । ପ୍ରକାଶ ଥାଉକି ଜୟକୃଷ୍ଣ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଳିତା ଗ୍ରାମର ବାସିନ୍ଦା । ସେ ରାଉରକେଲା ଏନ୍‌ଆଇଟିରେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.