
ଭୁବନେଶ୍ଵର : ପାରିବାରିକ କଳହର କରୁଣ ପରିଣତି । ବାପାକୁ ହତ୍ୟା କଲା ପୁଅ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ତିହୁରୀ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ନାବାଳକ ପୁଅର ରଡ ମାଡ଼ରେ ଛାଡ଼ିଗଲା ବାପାର ଜୀବନ । ଗୁରୁବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଅନୁସାରେ ବାଲିପାଟଣା ଥାନା ତିହୁରୀ ଗାଁର ଗଜରାଜ ଭୋଇ ଗୁରୁବାର ରାତି ପ୍ରାୟ ୮ଟା ବେଳେ ମଦ ପିଇ ଘରେ ଗଣ୍ଡଗୋଳ କରିଥିଲେ । ପରେ ବାପ-ପୁଅଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ଏକ ରଡରେ ଗଜରାଜଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଗଜରାଜଙ୍କ ମୁଣ୍ଡ ଫାଟି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।