କୋରାପୁଟ, (କେପିଏନ୍ଏସ୍) : ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ନିୟମ ଲାଗୁ କରିଥିଲେ ମଧ୍ୟ ତାହା କିନ୍ତୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଯେଉଁମାନେ ଶଯ୍ୟାଶାୟୀ, ଯେଉଁ ମାନେ ବ୍ୟାଙ୍କ ଯାଇ ପାରୁ ନାହାନ୍ତି ସେମାନଙ୍କ ପାଇଁ ବି.ସି ଓ ବି.ଏଲ୍.ସି ଭତ୍ତା ନେଇ ଘରେ ପ୍ରଦାନ କରିବା କଥା କିନ୍ତୁ ଆଜି ଏହି ବୃଦ୍ଧାଙ୍କ କ୍ଷେତ୍ରରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଓ ସେଥି ପାଇଁ ଜଣେ ଆଦିବାସୀ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି । ଏଥି ପାଇଁ ଦାୟୀ କିଏ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ପ୍ରଦାନ କରୁଥିବା ବାର୍ଦ୍ଧକ୍ୟ ଭତ୍ତା ଆଜି ତାଙ୍କ ଜୀବନ ନେଇଛି ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗାଁ ୟୁ.ଜି.ବି ବ୍ୟାଙ୍କ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲୁ କି କାନ୍ତା ମେଲେକା ଗତ ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇ ଥିବା ଓ ଚଳିତ ମାସର ୧ ହଜାର ଟଙ୍କା ଖାତାକୁ ଆସିଥିବାର କହିଥିଲେ । ଉକ୍ତ ଟଙ୍କା ଉଠାଇବା ପାଇଁ ଯାଇ ଆଜି ଅଧାରେ ହିଁ ଶେଷ ହୋଇଯାଇଛି କାନ୍ତାଙ୍କ ଜୀବନ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ବନ୍ଧୁଗାଁ ବ୍ଲକ ସଦର ଇନ୍ଦଲା ମା’ଙ୍କ ମନ୍ଦିର ପାଖରେ ଦେଖିବାକୁ ମିଳିଛି । ଜଣେ ବୃଦ୍ଧାଙ୍କ ମୃତଦେହକୁ ଆଉ ଜଣେ ବୃଦ୍ଧା ଜଗିକି ବସିଛି । ଖବର ନେବାରୁ ଜଣାପଡିଲା ଯେ, ବାଉଁଶପୁଟ ଗ୍ରାମର ୨ ଭଉଣୀ ସୋନାଇ ମେଲେକା ଓ କାନ୍ତା ମେଲେକା ବନ୍ଧୁଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବାକୁ ଶୁକ୍ରବାର ସକାଳ ୮ଟାରେ ବାହାରିଥିଲେ । ଦୁହେଁ ଖଣ୍ଡିଏ ବାଡ଼ି ଧରି ଆଗପଛ ହୋଇ ଚାଲି ଚାଲି ବ୍ୟାଙ୍କକୁ ଯାଉଥିବା ବେଳେ ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ନିକଟରେ କାନ୍ତାଙ୍କ ଦେହ ଖରାପ ହୋଇଥିଲା । ଏହା ଦେଖି ମଝିଆ ଭଉଣୀକୁ ପାଖରେ ଥିବା ସାନ ଭଉଣୀ ଘରକୁ ଯିବା ବୋଲି କହିଥିଲେ । ଏହା ମଧ୍ୟରେ ତାଙ୍କ ଦେହ ଆହୁରି ଅଧିକ ଅସୁସ୍ଥ ହୋଇ ପଡ଼ିବା ଦେଖି ରାସ୍ତା କଡରେ ଥିବା ମନ୍ଦିର ପାଖକୁ ଦୁହେଁ ଚାଲି ଯାଇଥିଲେ । ସେଠାରେ ଦୁହେଁ ଅନ୍ୟତ୍ର କୁଆଡେ ଯାଇ ନପାରି ରହି ଯାଇଥିଲେ । ଆଜି ସକାଳ ହେବା ପରେ ବଡ଼ ଭଉଣୀର ମୃତଦେହ ପାଖେ ବସି ସାନ ଭଉଣୀ କାନ୍ଦୁଥିବା ଦେଖି କିଛି ଲୋକ ତାଙ୍କ ଗ୍ରାମକୁ ଖବର ଦେଇଥିଲେ । ଉକ୍ତ ବିଷୟକୁ ନେଇ କୋରାପୁଟ ଉପଜିଲ୍ଲାପାଳ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
Prev Post
Next Post