ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ମାତୃଶକ୍ତି ମିଶନର ପ୍ରଥମ ମାତୃ ସମ୍ମିଳନୀ ୨୦୨୫ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶନର ଏମ୍.ଡି ଡାକ୍ତର ସାମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଭାପତି ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା କଲ୍ୟାଣୀ ମିଶ୍ର ଓ ସମାଜସେବୀ କିଶାନ ଗୋୟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃଶକ୍ତି ମିଶନର ଆଭିମୁଖ୍ୟ ଓ ସମାଜ ପ୍ରତି ଦାୟିତ୍ଵବୋଧ ସହ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । ମା’ ମାନଙ୍କ ସଶକ୍ତିକରଣ ସମାଜକୁ ଏକ ନୂତନ ବାର୍ତ୍ତା ଦେବାସହ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଏମ୍.ଡି ଡାକ୍ତର ସାହୁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ରାଜ୍ୟ ସଭାପତି ବୀଣାପାଣି ରାଉତ ସ୍ୱାଗତ ଭାଷଣ ଓ ରାଜ୍ୟ ସମ୍ପାଦିକା ପୁଷ୍ପଲତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଟି ଗୃପର ପାଞ୍ଚଶହରୁ ଅଧିକ ମା’ ମାନେ ଯୋଗଦେଇଥିଲେ । ଏହି ମା’ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ରଙ୍ଗୋଲି, ସଂଗୀତ, ମେହେନ୍ଦି, ନୃତ୍ୟ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା କରାଯାଇ ସେଥିରେ ଉତ୍କର୍ଷତା ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସ୍ୱାଗତ ସଂଗୀତ ପରିବେଷଣ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ଆବାହିକା ଶକ୍ତିପ୍ରଦା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜରେଇକେଲା ସଭାପତି ଇନ୍ଦୁ ସାହୁ, ହେମଗିରି ସଭାପତି କୁମୁଦିନୀ ମେହେର, ସୁନ୍ଦରଗଡ ସଭାପତି ପ୍ରଭାସିନୀ ସେଠ୍, ମହେନ୍ଦ୍ର, ଶୁଭାଶିଷ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।