ଦେଓଗାଁ ଥାନାଞ୍ଚଳରେ ମାତିଛନ୍ତି ଲୁଟେରା ଦଳ : ଗୋଟେ ଦିନରେ ୨ ଲୋକଙ୍କୁ ରାସ୍ତାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ପୁଣି ମାତିଲେଣି ଲୁଟେରା ଦଳ। ଗୋଟିଏ ଦିନରେ ଦୁଇଟି ଜାଗାରେ ମାତ୍ର ତିନି ଘଣ୍ଟା ବ୍ୟବଧାନରେ ଲୁଟ୍ ହୋଇଛି। ମଙ୍ଗଳବାର ରାତିରେ ଘଟିଥିବା ଏହି ଲୁଟ୍ ସଂପର୍କରେ ବୁଧୁବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଦେଓଗାଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜଣାପଡିଛି।
ଦେଓଗାଁ ଥାନା ଅଧୀନସ୍ଥ ସାଲେପାଲି ଗାଁରୁ ବଗଡ଼ା ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ୭.୩୦ମି.ରେ ଜଣେ ବ୍ୟକ୍ତିଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସାଲେପାଲି ଗାଁର ଓଙ୍କାର ମେହେର ଏହି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ୩ ଜଣ ଦୁର୍ବୃତ୍ତ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଲାପଟପ୍, ମୋବାଇଲ ଫୋନ୍ ଓ କିଛି ଟଙ୍କା ଲୁଟି ନେଇଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଦେଓଗାଁ ଥାନାକୁ ଜଣାଇ ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ୩ ଜଣ ଲୁଟେରା ନିକଟସ୍ଥ ଏକ ଗାଁର ବୋଲି ଅନୁମାନ କରାଯାଉଛି। ଏହି ଘଟଣାର କିଛି ସମୟ ପରେ ଦେଓଗାଁ- ତୁଷୁରା ରାସ୍ତାରେ ବଲାଙ୍ଗୀର ପଟୁ ତୁଷୁରାର ଟେଣ୍ଟ ହାଉସ ମାଲିକ ଉପେନ୍ଦ୍ର ସ୍ବାଇଁ ଯାଉଥିଲେ। ଭାଟିଛକ ନିକଟରେ ତିନିଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ସହିତ ତାଙ୍କ ବ୍ୟାଗ ଲୁଟି ନେଇଥିଲେ। ଉକ୍ତ ବ୍ୟାଗରେ ୨ ଲକ୍ଷ ୨୦ ହଜାର ଟଙ୍କା ଥିବା ସେ ଦେଓଗାଁ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏନେଇ ଦେଓଗାଁ ପୁଲିସ କେସ୍ ନମ୍ବର ୨୦୩/୨୦ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏହାର ତଦନ୍ତ ଚାଲିଛି ବୋଲି ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.