‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ଦୀପା କଲେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍, ହୁଇଲ୍ ଚେୟାର୍ ପାଇଲେ ଦିବ୍ୟାଙ୍ଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ରେ ଖବର ପ୍ରକାଶିତ ହେବା ପରେ ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ୍ ଚେୟାର୍ । ଖବରକୁ ଭିତ୍ତିକରି ସମାଜିକ କର୍ମୀଙ୍କ ଟ୍ୱିଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ନିର୍ଦେଶ । ବରଗଡ଼ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାଞ୍ଜେନମୁଣ୍ତା ଗ୍ରାମର କିଶୋର ସୁନା( ୪୬) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେ ୬୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସେ ଅତି କଷ୍ଟରେ ଜୀବନ ଯାପନ କରୁଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ତାଙ୍କର ରହିବା ପାଇଁ ଘର ଖଣ୍ତିଏ ଦରକାର । ହେଲେ ଅନେକ ଥର ଆବେଦନ ନିବେଦନ କରି ମଧ୍ୟ ଘର ଖଣ୍ତିଏ ମିଳି ପାରୁନାହିଁ । ଅନ୍ତୋଦୟ ଯୋଜନାରେ ଚାଉଳ, ବାସଗୃହ ଓ ହୁଇଲ ଚେୟାର ଯୋଗାଇ ଦେଲେ ସେ ଉପକୃତ ହୁଅନ୍ତେ ବୋଲି ଗତ ୧୪ ସେପ୍ଟେମ୍ବରରେ ଖବର ପ୍ରକାଶିତ ହୋଇଥିଲା । ଏହି ଖବରକୁ ପଢ଼ି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ଗ୍ରାମର ସମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣେଇଥିଲେ । ଯାହାର ଫଳସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ଆସିବା ପରେ ଭିନ୍ନକ୍ଷମ କିଶୋର ସୁନାଙ୍କୁ ମିଳିଲା ହୁଇଲ୍ ଚେୟାର୍ । ଏନେଇ ଏକ ପତ୍ର ମାଧ୍ୟମରେ ରାଜବୋଡାସମ୍ବର ବିଡିଓ ବରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରେଇଛନ୍ତି । ହୁଇଲ୍ ଚେୟାର୍ ପାଇବା ପରେ କିଶୋର ଖୁସି ଅନୁଭବ କରିବା ସହ ‘କୋଶଳ ପ୍ରବାହ’ ପରିବାରକୁ ଧନ୍ୟବାଦ ଦେବା ସହ ଦୀପାଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.