om academy

ଅର୍ଦ୍ଧନିର୍ମିତ କମ୍ୟୁନିଟି ସେଣ୍ଟର୍ ସମ୍ପୂର୍ଣ୍ଣ ହେବେ କେବେ ?

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ସୁର୍ଡା ପଞ୍ଚାୟତର ସୁର୍ଡ଼ା ଗ୍ରାମରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି କମ୍ୟୁନିଟି ସେଣ୍ଟର୍ । ୨୦୧୭-୧୮ରେ ନିର୍ମାଣ କାମ ଆରମ୍ଭ ହୋଇଥିବା କମ୍ୟୁନିଟି ସେଣ୍ଟର୍ ଆଜି ପର୍ୟ୍ୟନ୍ତ କାମ ସରି ପାରିନାହିଁ । ଗ୍ରାମବାସୀଙ୍କ ଅନେକ ଦାବୀ ପରେ ଆରମ୍ଭ ହୋଇଥିବା ଏହି କାମଟି ବର୍ତ୍ତମାନ ଅଧାରେ ପଡ଼ିରହିଛି । କିନ୍ତୁ ଅର୍ଦ୍ଧନିର୍ମିତ ଏହି ସେଣ୍ଟର୍‌ର ସମ୍ମୁଖରେ ଲାଗିସାରିଛି କାର୍ୟ୍ୟ ଫଳକ ଏବଂ ସେଠି ସଫା ସଫା ଲେଖାଯାଇଛି ବ୍ୟୟ ଅଟକଳ ତିନି ଲକ୍ଷ ଟଙ୍କା । କାମର ନାମ କମ୍ୟୁନିଟି ସେଣ୍ଟର୍ । କିନ୍ତୁ ଲେଖା ନାହିଁ କାମ କେବେ ଆରମ୍ଭ ହେଲା ଓ କେବେ ଶେଷ ହେବ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତର ସରପଞ୍ଚଙ୍କୁ ଅନେକ ଥର କହିବା ପରେ ମଧ୍ୟ କାମ ହେଉନାହିଁ। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି କାମ ପାଇଁ ଆସିଥିବା ଟଙ୍କା ସବୁ ହଡ଼ପ ହୋଇ ସାରିଛି । ଏହି ଅଭିଯୋଗ ବାବଦରେ ସୁର୍ଡ଼ା ପଞ୍ଚାୟତ ଜେଇ ବିରେନ୍ଦ୍ର ସିଂଙ୍କୁ ପଚାରିବାରୁ ସେ କହନ୍ତି, ଏହି ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ସରପଞ୍ଚ ସସ୍ମିତା ଭୋଇଙ୍କୁ ପଚାରିବାରୁ କହନ୍ତି, ଗ୍ରାମର ଦୁଇଜଣ ବ୍ୟକ୍ତି କୁଳମଣି ଓ ଜିତ ବେହେରା ସେମାନେ ଟେଣ୍ଡର ନେଇ କାମ କିଛି କରିନାହାନ୍ତି ଏବଂ ଗ୍ରାମବାସୀ ପଞ୍ଚାୟତକୁ ନଜଣାଇ କାମ କରୁଥିବା କହିଛନ୍ତି । ଅପର ପକ୍ଷରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୂର୍ଡ଼ା ଗ୍ରାମ ପ୍ରତି ଅବହେଳା କରାଯାଉଛି । ତେଣୁ ଯଦି ଗୋଟିଏ ମାସ ମଧ୍ୟରେ କମ୍ୟୁନିଟି ସେଣ୍ଟର୍ ସମ୍ପୂର୍ଣ୍ଣ କରା ନଯାଏ ତେବେ ତୀବ୍ର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ହରିଶ ବଗର୍ତ୍ତୀ କହିଛନ୍ତି ।

Leave A Reply

Your email address will not be published.