- ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ଫୋରେଷ୍ଟ ପାର୍କଠାରେ ବରିଷ୍ଠ ନାଗରିକଙ୍କୁ ଯୋଗକ୍ରିୟା ଓ ପ୍ରାଣାୟାମ ଉପରେ ଯୋଗ ଗୁରୁ ଗୋରେଖ ନାଥ ସାହୁ ଅତି ସୁନ୍ଦର ଭାବେ ବୁଝାଇ ଯୋଗାଭ୍ୟାସ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ କରିବା ସହିତ ସମ୍ମାନ ଜଣାଇଥିଲେ ଓ ନିୟମିତ ଯୋଗ ଓ ପ୍ରାଣାୟାମ କଲେ କେବେ ବି ଆପଣମାନଙ୍କୁ କୋଭିଡ ବା କୌଣସି ରୋଗ ଛୁଇଁ ପାରିବନି ବୋଲି କହିଥିଲେ ଏବଂ ସମସ୍ତଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଦେଇଥିଲେ । ଏହି ଯୋଗାଭ୍ୟାସ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅବସରରେ, ପିଡ଼ିଡ଼ିଆରଡ଼ିଏ ଡୋଳାମଣି ପଟେଲ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ପରେ ପରେ ଜିଲ୍ଲା ସଂସୃତି ଭବନଠାରେ ଆଲୋଚକ ଯୋଗେନ୍ଦ୍ର ପ୍ରସାଦ ପଣ୍ଡା ଜୀବନର ମୂଲ୍ୟ, ମଣିଷ ପଣିଆ ଉପରେ ଓ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରିବାକୁ ପରାମର୍ଶ କରି ଆଧ୍ୟାତ୍ମିକତା ଉପରେ ଅନେକ ପରାମର୍ଶ ଦେଇଥିଲେ । ତୃତୀୟ ସେସନରେ ଡାକ୍ତର ପ୍ରଦୀପ ଗୁରୁ ସୁଷମ ଓ ସାତ୍ଵିକ ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କହିବା ସହ ନିୟମିତ ସୁଷମ ଖାଦ୍ୟ ଓ ବ୍ୟାୟାମ ମାଧ୍ୟମରେ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ କରି ସବୁବେଳେ ଚାପ ମୁକ୍ତ ଓ ଖୁସିରେ ରହିବାକୁ କହିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଈପସିତା ପ୍ରିୟଦର୍ଶନୀ ମିଶ୍ର ସୁନ୍ଦର ଭାବେ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ଦୁଃଖିଶ୍ୟାମ ସେଠି, ସଞ୍ଜୟ ବାରିକ, ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଓ ସମସ୍ତ କର୍ମଚାରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ, କର୍ମଚାରୀ ସହଯୋଗ କରି ବରିଷ୍ଟ ନାଗରିକଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଶ୍ରୀବତ୍ସ ମଲ୍କିକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ଅଳିମୁଲ ଇସଲାମ, ପଦ୍ମାବତୀ ମେହେର, ବିନୋଦ ମେହେର, ଶାନ୍ତି ମେହେର, ବୃନ୍ଦାବନ ରଥ, ଜୟନ୍ତୀ ରଥ ଓ ଅନ୍ୟ କର୍ମକର୍ତ୍ତା, ବୃଦ୍ଧାଶ୍ରମର ଅନେକ ଅନ୍ତେବାସୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଫେସର ନୀଳାମ୍ବର ରାଏ ଗୁରୁ, ଜୟଦେବ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂସ୍କୃତି ଅଧିକାରୀ ଶ୍ରୀମତୀ ମିଶ୍ର ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ସାମାଜିକ ସୁରକ୍ଷା ଆଇନ ଉପରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ, ଦିବସ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କୁ ଲାଇବ୍ରେରୀ ପାଇଁ ମାଗଣା କାର୍ଡ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।