ପଥର ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ହରଭଙ୍ଗା ବ୍ଲକ : ଲଣ୍ଠନ ଦେଖାଇ ଆଇନକୁ ମାଇନର ନାଁରେ ଚାଲିଛି ମେଜର ମିନେରାଲ ଲୁଣ୍ଠନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏବେ ପଥର ମାଫିଆଙ୍କ ପାଇଁ ଭୂ‌ସ୍ୱର୍ଗ ପାଲଟିବାରେ ଲାଗିଛି । ଶାଗ ମାଛ ମୂଲରେ ମିଳୁଥିବା ପଥର କୁଆଁରୀ ସାଙ୍ଗକୁ ପଥର ଉତ୍ତୋଳନ ଓ ଚାଲାଣ ପାଇଁ ମିଳୁଥିବା କଟକଣା ମୁକ୍ତ ଖୋଲାଛୁଟ ଯୋଗୁଁ ଏଠାରେ ଷ୍ଟୋନ କ୍ରସର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ କେବଳ ଜିଲ୍ଲା ନୁହେଁ ବାହାର ଜିଲ୍ଲା ଓ ରାଜ୍ୟର ପଥର ମାଫିଆଙ୍କ ମଧ୍ୟରେ  ଅହେତୁକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ହେଲେ ପଥର କୁଆଁରୀ ଗୁଡିକରୁ ମାଇନର ମିନେରାଲ ଉତ୍ତୋଳନ ପାଇଁ ଅନୁମତି ପାଇଥିବା ସଂସ୍ଥା ଗୁଡିକ ସରକାରୀ ନୀତି ନିୟମକୁ ଉଲଂଘନ କରି ଖୋଲାଖୋଲି ଭାବେ କିପରି ମେଜର ମିନେରାଲ ଉତ୍ତୋଳନ କରୁଥିବା ତଥ୍ୟ ଏବେ ସମ୍ନାକୁ ଆସିଛି । ଓଡ଼ିଶା ସରକାରଙ୍କ ମାଇନର ମିନେରାଲ ନିୟମ ଅନୁଯାଇ ପଥର କୁଆଁରୀ ଗୁଡିକରେ ଭୂମିଠାରୁ ସର୍ବାଧିକ ୬ମିଟର ଗଭୀର ପର୍ୟ୍ୟନ୍ତ ତଳକୁ ଖନନ କରାଯାଇପାଇବ । ଏଥିରୁ ତଳକୁ ଖନନ କରିବା ପାଇଁ ହେଲେ ଓଡିଶା ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ଅଫ ସର୍ଭେ ଙ୍କର ଅନୁମତି ପତ୍ର ଆଣିବା ବାଧ୍ୟତାମୂଳକ ଅଟେ।ମାତ୍ର ଖନନ ସମୟରେ ଯଦି କୌଣସି ସ୍ଥାନରେ ଜଳର ଉତ୍ସ ଦେଖାଯାଏ ତେବେ ତତ୍କାଳ ଖନନ ପ୍ରକ୍ରିୟାକୁ ସେଠାରେ ହିଁ ବନ୍ଦ କରାଯିବାର କଡାକଡି ପ୍ରାବଧାନ ରହିଛି । ମାତ୍ର ହରଭଙ୍ଗା ବ୍ଲକର ଖରଭୂଇଁ ପଥର ସୌରତ ଗୁଡିକରେ ଆଜକୁ ଦୀର୍ଘବର୍ଷ ହେଲା ଏହି ନିୟମକୁ ଜଳାଞ୍ଜଳି ଦେଇ ଜଳଉତ୍ସ ବାହାରିବା ସତ୍ତ୍ୱେ ଏହାକୁ ବନ୍ଦ ନରଖି ଓଲଟି ମୋଟର ଜରିଆରେ ପାଣି ନିଷ୍କାସନ କରି ସେହି ସ୍ଥାନରେ ବଡ ଧରଣର ପଥର ବ୍ଲାଷ୍ଟିଂଙ୍ଗ କରି ପ୍ରାୟ ୫୦ରୁ ୬୦ ଫୁଟ ଗଭୀର ଯାଏ ଖନନ କରାଚାଲିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ସ୍ଥାନୀୟ ଅଞ୍ଚଳରେ ଥିବା କୂଅ, ପୋଖରୀ ଓ ନଳକୂପ ଗୁଡିକରେ ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ଅଭିଯୋଗ ହେଉଛି । ଏକଥା ଜାଣିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ସ୍ଥାନୀୟ ଜନସାଧାରଣ ଏହିସବୁ ନୀତି ନିୟମ ସମ୍ପର୍କରେ ଅଜ୍ଞ ଥିବାରୁ କେହି ମୁହଁଖୋଲି କହିପାରୁ ନାହାନ୍ତି ମାତ୍ର ଏହାର କାର୍ୟ୍ୟ ତଦାରଖ ଓ ନିରୀକ୍ଷଣ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ସବୁ ଜାଣିଶୁଣି କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବାସହ ପଥର ଉତ୍ତୋଳନକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କର ଭିତିରି ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏଠାରେ ଚାଲିଥିବା ମେଜର ମିନେରାଲ ଉତ୍ତୋଳନ ଉପରେ ରୋକ ଲଗାଇବା ସହ ଆଇନ ଉଲଙ୍ଘନ କରି ବେନିୟମ ଭାବେ ପଥର ଉତ୍ତୋଳନ କରିଥିବା କୁଆଁରୀର ସତ୍ତ୍ୱଧିକାରୀ ଓ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶପ୍ରେମୀ ମହଲରେ ଦାବୀ ହେଉଛଟି।ଏ ସମ୍ପର୍କରେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ରଙ୍କୁ ପଚରା ଯିବାରୁ ଏଭଳି ଅଭିଯୋଗ ମୋ ନିକଟକୁ ଆସିନାହିଁ । ଯଦି କୌଣସି ସ୍ଥାନରେ ଏପରି ହେଉଥାଏ ତାର ତଦନ୍ତ କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.