କରୋନା ସଂକ୍ରମଣ ଆତଙ୍କ ଚାଟିନେଲା ହୋଟେଲ ବ୍ୟବସାୟ : ହୋଟେଲ କର୍ମଚାରୀଙ୍କ ଦୁଃଖ କହିଲେ ନସରେ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ମହାମାରୀର ରୂପ ନେଇ ସାରା ଦେଶରେ ଉତ୍‌ପାତ୍‌ ପ୍ରଦର୍ଶନ କରୁଛି କରୋନା । ତେବେ କରେନ।। ସଂକ୍ରମଣ ଆତଙ୍କ ଚାଟିନେଲା ହୋଟେଲ ବ୍ୟବସାୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏବେ ସରକାରଙ୍କ କୋଭିଡ-୧୯ ଆଇନ ଅନୁସାରେ ହୋଟେଲଗୁଡ଼ିକ କେବଳ ପାର୍ସଲ ଦେଇପାରିବେ । ସେଥିପାଇଁ ମଧ୍ୟ ଅନେକ କଟକଣା ରହିଛି । ଏଭଳି କଟକଣା ବ୍ୟବସ୍ଥା ହୋଟେଲ ଶିଳ୍ପକୁ ଧ୍ୱଂସ କରିଦେଇଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଛୋଟ ଛୋଟ ହୋଟେଲଗୁଡ଼ିକ ତ’ ପ୍ରାୟତଃ ସଂପୂର୍ଣ୍ଣ ବନ୍ଦ ହୋଇପଡ଼ିଛି । ବଡ଼ ବଡ଼ ହୋଟେଲଗୁଡ଼ିକର ଅବସ୍ଥା ବି ଜମାରୁ ଠିକ୍‌ ନାହିଁ । ପୂର୍ବରୁ ଯେତିକି ବ୍ୟବସାୟ ହେଉଥିଲା, ସେଥିରୁ ୧୦% ବ୍ୟବସାୟ ବି ହେଉ ନଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏଥିରେ ହୋଟେଲ ମାଲିକମାନେ ଯେତିକି କ୍ଷତି ସହିଛନ୍ତି, ତା’ଠୁ ଅଧିକ ଗରିବ, ଖଟିଖିଆ ହୋଟେଲ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଅନେକାଂଶରେ କାମ ହରାଇ ସାରିଲେଣି । ଯେଉଁଠି ଯିଏ କାଁ ଭାଁ କାମରେ ଲାଗିଛନ୍ତି, ତାହା ବି କମ୍‌ ପାଉଣାରେ । ଏଥିରେ ହୋଟେଲ ମାଲିକମାନଙ୍କ ବି ହାତ ବନ୍ଦ । ଧନ୍ଦା ମାନ୍ଦା ହେବା କାରଣରୁ ସେମାନେ ବି ନିରୁପାୟ ନିଶ୍ଚୟ । ରାସ୍ତାକଡ଼ ଉଠା ଦୋକାନୀଙ୍କ ଜଳଖିଆ ଠେଲାଗୁଡ଼ିକର ଅବସ୍ଥା ବି ସାଂଘାତିକ । ସେମାନେ ବି ଦୁର୍ଗତି ଦେଇ ଗତି କରୁଛନ୍ତି । ଅନ୍ୟଦିଗରେ କରୋନା ସଂକ୍ରମଣ ଆଶଙ୍କାରେ ଗ୍ରାହକମାନେ ବି ପୂର୍ବ ପରି ହୋଟେଲ ଖାଦ୍ୟ ଉପରେ ବିଶ୍ୱାସ ରଖି ପାରୁନାହାନ୍ତି । ଏଭଳି ସ୍ଥିତିରେ ହୋଟେଲ ବ୍ୟସାୟକ ଧ୍ୱଂସାଭିମୁଖୀ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏ ଦିଗରେ ସରକାର ଚିନ୍ତା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.