oom

ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ “ଓଡିଶା ଇତିହାସ’ ହିନ୍ଦୀ ଅନୁବାଦ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ଡ଼. ହରେକୃଷ୍ଣ ମହତାବ ଫାଉଣ୍ଡେସନ ଆନୁକୂଲ୍ୟରେ ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ “ଓଡିଶା ଇତିହାସ’ (ଓଡ଼ିଆରୁ ହିନ୍ଦୀ ଅନୁବାଦିତ) ପୁସ୍ତକକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମଧ୍ୟାହ୍ନରେ ନୂଆଦିଲ୍ଲୀ ସ୍ଥିତ ଡ଼.ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ଓଡିଶା ଇତିହାସ ସମ୍ପର୍କରେ ସମଗ୍ର ଦେଶ ଅବଗତ ହୋଇପାରିବ ବୋଲି କହିଥିଲେ । ସେ କହିଥିଲେ ଯେ ଡ଼.ହରେକୃଷ୍ଣ ମହତାବ ଜଣେ ବିଚକ୍ଷଣ ରାଜନୈତିକ ନେତା ସହିତ ସ୍ୱାଧିନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଏବଂ ଓଡିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ଭାରତର ବିକାଶ କ୍ଷେତ୍ରରେ ପଶ୍ଚିମାଞ୍ଚଳ ରାଜ୍ୟ ଗୁଡିକ ଆଗୁଆ ଥିବା ବେଳେ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଯଥେଷ୍ଟ ପରିମାଣର ପ୍ରାକୃତିକ ସମ୍ପଦ ଭରପୁର ରହିଥିଲେ ମଧ୍ୟ ସେଗୁଡିକର ବିନିଯୋଗ ସଠିକ ଭାବେ ନ ହୋଇପାରୁଥିବା ହେତୁ ବିକାଶର ଶୀଥିଳତା ଦେଖା ଦେଇଛି । ଓଡିଶା ପ୍ରତି ମୋର ସ୍ୱତନ୍ତ୍ର ଦୃଷ୍ଟି ରହିଛି । ବ୍ରହ୍ମପୁରରେ ଆଇଜର, ନାଇଜର, ସମ୍ବଲପୁରରେ ଆଇଆଇଏମ ଭଳି କେନ୍ଦ୍ରୀୟ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ପାଇଁ ଯଥେଷ୍ଟ କେନ୍ଦ୍ରୀୟ ପଦକ୍ଷେପ ନିଆଯାଇଛି । ଡ଼. ହରେକୃଷ୍ଣ ମହତାବ ଏହିଭଳି ଜଣେ ବ୍ୟକ୍ତିତ୍ୱ ଯିଏକି ସ୍ୱାଧୀନତା ସଂଗ୍ରାମରେ ବହୁବର୍ଷ କାରାବରଣ କରିଥିବା ବେଳେ ପୁଣି ସ୍ୱାଧୀନତା ପ୍ରାପ୍ତି ପରେ ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢେଇ କରି ଦୀର୍ଘ ସମୟ କାରାବରଣ କରିଥିଲେ । ମହତାବଙ୍କ ସହିତ ନବକୃଷ୍ଣ ଚୌଧରୀ, ମାଳତୀ ଚୌଧୁରୀ, ଚକରା ବିଷୋୟୀ, ଦୋହରା ବିଷୋୟୀ ଏବଂ କୋରାପୁଟର ଲକ୍ଷ୍ମଣ ନାୟକ, ବାଜି ରାଉତଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିଲେ । ଓଡ଼ିଶାର ଇତିହାସ ବାଣିଜ୍ୟ କ୍ଷେତ୍ରରେ ପୃଥିବୀର କୋଣ ଅନୁକୋଣରେ ତାହାର ପ୍ରତିଭା ବିକଶିତ କରିଥିବା ପ୍ରମାଣ ଅଦ୍ୟାବଧି ମହଜୁଦ ଦେବାକୁ ମିଳେ ଅନେକ ଦେଶରେ । ତେଣୁ ଭାରତର ଇତିହାସ ବିଷୟ ଆଲୋଚନାକୁ ନିଆଯିବା ବେଳେ ଓଡିଶା ଇତିହାସର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଥିବା ସ୍ୱୀକାଯ୍ୟ୍ର । ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଡ଼. ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଓଡିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରି ନିଜକୁ ଧନ୍ୟ ମନେ କରିଥିବା ବିଷୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉକ୍ରଳ କେଶରୀ ଡ଼. ମହତାବଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଓଡିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିବାରୁ ତାଙ୍କପ୍ରତି କୃତଜ୍ଞତା ଜଣାଇଥିଲେ । ହରେକୃଷ୍ଣ ମହତାବ ଫାଉଣ୍ଡେସନର ଅଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ଓଡିଶା ଇତିହାସ ସମ୍ପର୍କରେ ସୂଚନା ଦେବା ସହ ଶଙ୍କର ଲାଲ ପୁରୋହିତଙ୍କ ଦ୍ୱାରା ଏହି ହିନ୍ଦୀ ଅନୁବାଦ ପୁସ୍ତକକୁ ଲୋକାଦୃତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାଧୁବାଦ ଜଣାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ହୋଟେଲ ମୋତି ଠାରେ ନୂଆଦିଲ୍ଲୀରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ପୂର୍ବରୁ ଏକ ସଭା ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ ପ୍ରଫେସର ଡ଼ା. ପିସି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡ଼. ମହତାବଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଦକ୍ଷିଣ ଓଡ଼ିଶା ଇତିହାସ କଂଗ୍ରେସର ସଭାପତି ପ୍ରଫେସର ମଦନ ମୋହନ ମହାପାତ୍ର, ଐତିହାସିକ ତଥା ନାଟ୍ୟକାର ମେଜର ରମାରମଣ ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ରଘୁନାଥ ପାଢ଼ୀଶର୍ମା ପ୍ରମୁଖ ଡ଼. ମହତାବଙ୍କ ବିଭିନ୍ନ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସହରର ବିଭିନ୍ନ ସ୍ଥାନରୁ ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.