ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ୯୨ ବର୍ଷ ବୟସରେ ତାଙ୍କ ଟିକ୍ରାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅବିଭକ୍ତ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ସିଆରିଆ ଅଂଚଳରେ ସ୍ୱର୍ଗତ ସାହୁ ଜନ୍ମ ଗ୍ରହଣ କରିଥିବା ବେଳେ ବଲାଙ୍ଗିର ସହରକୁ ସେ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଜୀବନରେ ଖୁବ ସଂର୍ଘଷ କରି ସେ ନିଜକୁ ଜଣେ ସଫଳ ବ୍ୟବସାୟୀ ଭାବେ ପରିଣତ କରିବା ସହିତ ନିଜ ପୁଅଝିଅଙ୍କୁ ମଧ୍ୟ ମଣିଷ କରିଥିଲେ । ସ୍ୱର୍ଗତ ସାହୁଙ୍କ ବଡପୁଅ ଡା.ନରେନ୍ଦ୍ର ସାହୁ ବଲାଙ୍ଗିର ସହରରେ ନିଜକୁ ଜଣେ ସୁପ୍ରତିଷ୍ଠିତ ଡାକ୍ତର ଭାବେ ପରିଚିତ କରାଇ ପାରିଥିବା ବେଳେ ତାଙ୍କର ଆଉ ଜଣେ ପୁଅ ସୁରେନ୍ଦ୍ର ସାହୁ ବିଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ୟ୍ୟରତ । ସେହିପରି ତାଙ୍କର ଅନ୍ୟ ଦୁଇ ପୁଅ ଦେବେନ୍ଦ୍ର ସାହୁ ଓ ରବୀନ୍ଦ୍ର ସାହୁ ମଧ୍ୟ ଜଣେ ଜଣେ ସଫଳ ବ୍ୟବସାୟୀ । ସ୍ୱର୍ଗତ ସାହୁଙ୍କ ଏକମାତ୍ର ଝିଅ ସରୋଜିନୀ ସାହୁ କଣ୍ଟିଲୋ କଲେଜରେ ଅଧ୍ୟାପିକା ଭାବେ କାର୍ୟ୍ୟରତ । ସ୍ୱର୍ଗତ ଗନ୍ଧରେଲ ଠାରେ ଥିବା ଅନାଥା ଆଶ୍ରମର ପ୍ରତିଷ୍ଠାତା ହୋଇଥିବା ବେଳେ ରେଳୱେ ଷ୍ଟେସନ ନିକଟରେ ଜନସାଧାରଣଙ୍କ ପାଇଁ ହରିହର ଜନକଲ୍ୟାଣ ମଣ୍ଡପ ସେ ନିର୍ମାଣ କରିଥିଲେ । ବିଭିନ୍ନ ସମୟରେ ସେ ଗରିବ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଥିଲେ । ସ୍ୱର୍ଗତ ସାହୁଙ୍କ ମୃତ୍ୟୁରେ ସମଗ୍ର ସହରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁଙ୍କ ପାର୍ଥିବ ଶରୀରକୁ ଜନକଲ୍ୟାଣ ମଣ୍ଡପ ଓ ହରିହର ଡାକ୍ତରଖାନାରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ବିଭୂତିପଡା ସ୍ଥିତ ଶ୍ମଶାନ ଠାରେ ଶେଷକୃତ ସଂପନ୍ନ କରାଯାଇଥିଲା । ସ୍ୱର୍ଗତ ସାହୁଙ୍କ ଜ୍ୟେଷ୍ଠପୁତ୍ର ଡା.ନରେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ । ଶବଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

Leave A Reply

Your email address will not be published.