ଆସୁଛି ପାର୍ବଣ : କରୋନା ଯୋଗୁଁ ଦ୍ୱନ୍ଦ୍ୱରେ ଲୋକେ

ଦେଓଗାଁ, (ମନିଷ କୁମାର ସାହୁ) : ଜନ୍ମାଷ୍ଟମୀ ପରେ ପରେ ପ୍ରତିବର୍ଷ ପାର୍ବଣର ବିଗୁଲ ବାଜିଥାଏ । ଏଥର କିନ୍ତୁ ଲୋକଙ୍କ ମନରେ ଅନ୍ୟ ବର୍ଷ ଭଳି ଖୁସି, ଉଲ୍ଲାସ ନାହିଁ । ଦିନକୁ ଦିନ ଜଟିଳ ହେଉଥିବା କରୋନା ମହାମାରୀ ପରିସ୍ଥିତି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଏବର୍ଷ ପାର୍ବଣର ଋତୁ ଫିକା ପଡ଼ିବାର ଆଭାସ ଲୋକେ ପାଇ ସାରିଲେଣି । ସରକାରୀ କଟକଣା ଯୋଗୁଁ ପୂଜା ପ୍ରସ୍ତୁତି ପାଇଁ ପୂଜା ମଣ୍ଡପ କମିଟିମାନଙ୍କର ବୈଠକ ମଧ୍ୟ ହୋଇପାରୁନାହିଁ । କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଏଯାଏଁ ଜନଜୀବନ ଠପ୍ ହୋଇଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ୟ୍ୟାୟ କ୍ରମେ ଲକଡାଉନ୍ ଓ ସଟଡାଉନ୍ କଟକଣା ଜାରି କରାଯାଇ କରୋନା ସଂକ୍ରମଣର ପ୍ରତିରୋଧ ମୁକାବିଲା ଜାରି ରଖାଯାଇଛି। ଏଭଳି ସ୍ଥିତିରେ ପାର୍ବଣର ଜାକଜକମ ଜମିବ କି ନାହିଁ ତାହା ଅସ୍ପଷ୍ଟ । ପ୍ରତିବର୍ଷ ଏତେ ବେଳକୁ ଗଣେଶ ପୂଜା ପାଇଁ କାରିଗରମାନଙ୍କ ପାଖରେ ଗଣେଶ ମୂର୍ତ୍ତି ନିର୍ମାଣ ବରାଦ ନେଇ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଥାଏ । ସହରରୁ ଗାଁ ଯାଏଁ ସୁନ୍ଦର ତୋରଣ ଓ ମନଲୋଭା ସାଜସଜାରେ ପ୍ରଭୁ ଗଜାନନଙ୍କ ଅଗମନ ହୋଇଥାଏ । ଆର ଦିନ ପଡ଼ିଥାଏ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ମାତ୍ର ଏଥର ଚାଷୀ ମନରେ ମଧ୍ୟ କାଣିଚାଏ ସୁଖ ନାହିଁ । ଶ୍ରମଜୀବୀଙ୍କ ଠାରୁ ଆରମ୍ଭ କରି ଚାକିରିଆ, ବ୍ୟବସାୟୀ ସମସ୍ତେ ମହାମାରୀ କାଳକୁ ଅର୍ଥାଭାବ ସମସ୍ୟା ସହ ଯୁଝୁଥିବା ଦେଖାଯାଉଛି । ଆଗକୁ ପରିସ୍ଥିତି ସୁଧୁରିବା ଆଶା କ୍ଷୀଣ । ଅପରପକ୍ଷେ ଦେଓଗାଁ ବ୍ଲକ ଅଞ୍ଚଳରେ ପ୍ରାୟ ସବୁ ଗାଁରେ ଆଡ଼ମ୍ବରରେ ଗଣେଶ ପୂଜା ପାଳିତ ହେଉଥିବାରୁ ଚଳିତ ବର୍ଷ ଆଶା ଆଶଙ୍କାରେ ଭରି ରହିଛି । ଏହି ଗଣେଶ ପୂଜା ପରେ ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇ ଥିବାରୁ ଅଞ୍ଚଳର ଦୋକାନ ବଜାର ଉପରେ ନିର୍ଭର କରୁଥିବା ଲୋକେ ଦେଓଗାଁ ସହ କିଛି ବୈବ୍ୟସାୟକ ଅଞ୍ଚଳରେ ବଜାର ବନ୍ଦ ରହିଥିବାରୁ ନୂଆଁଖାଇ ଓ ଛାଡଖାଇ ମଧ୍ୟ ପୂର୍ବାପେକ୍ଷା ଫିକା ପଡ଼ିବାର ଆଭାସ ଦେଖା ଯାଉଛି । ଏହାର ପରେ ପରେ ବିଶ୍ଵକର୍ମା ପୂଜା, ଦଶହରା ସହ ମାଁ ପାଟଖଣ୍ଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ପାର୍ବଣ ଫିକା ଫିକାରେ ସରିଯିବା ଆଶଙ୍କା ପ୍ରକାଶ ପାଉଛି ।

Leave A Reply

Your email address will not be published.