ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୨୬ : ୨ ଦିନରେ ୨ ଦୁର୍ଘଟଣା

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଭୋର୍ ସକାଳୁ ସୋନଗଡ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଟେଙ୍କର୍ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଗାଡ଼ିର ଡ୍ରାଇଭର। ଜାତୀୟ ରାଜପଥ ୨୬ ଦେଓଗାଁ ନଦୀ ଖଣ୍ଡି ନିକଟରେ ବଙ୍ଗଳା ପଟରୁ ନଦୀରୁ ଚୋରା ବାଲି ବୋଝେଇ ହୋଇ ଯାଉଥିବା ଟ୍ରାକ୍ଟର (ଓଡ଼ି ୦୩ ପି ୨୬୪୯) ଗାଡି ଓ ଦେଓଗାଁ ପଟରୁ ଆସୁଥିବା (ଏପି ୩୧ ଟିଡି ୪୫୬୮)ଟେଙ୍କର ଗାଡ଼ି ସହ ଧକ୍କା ହୋଇଥିଲା। ଦୁଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ରାଜପଥ ଉପରେ ପଡିରହିଛି।


ସେହିପରି ଶୁକ୍ରବାର ରାତିରେ ଦେଓଗାଁରୁ ବଙ୍ଗଳା ଯିବା ରାସ୍ତାରେ ଥିବା ସାତ୍ ମୁହିଁ ପୋଲ ନିକଟରେ ଗୋଟିଏ ଟ୍ରକ ଗାଡ଼ି (ଓଡ଼ି ୧୬ଏଫ୍ ୫୪୫୯) ବଙ୍ଗଳା ପଟରୁ ଦେଓଗାଁ ଆଡ଼କୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ନିିିିକଟସ୍ଥ ପୋଲ ଓ ରାସ୍ତା ଯୋଡିତ ହୋଇଥିବା ସ୍ଥାନରେ ବଡ଼ ଗାତ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ୩ ଟି ଗାଡ଼ି ଜାତୀୟ ରାଜପଥ ଉପରେ ପଡ଼ି ରହିଥିଲେ ମଧ୍ୟ ସେଠାରୁ ଉଠା ଯାଇନାହିଁ, ଯାହାଫଳରେ ବ୍ୟସ୍ତବହୁଳ ରାଜପଥ ଉପରେ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ସ୍ଥାନରେ ୩ଟି ଗାଡ଼ି ପଡ଼ି ରହିଥିବାରୁ ଯିବା ଆସିବା କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।


ସୂଚନାଯୋଗ୍ୟ ଯେ ଗତ ତିନି ଦିନ ଭିତରେ ନଦୀ ଖଣ୍ଡି ନିକଟରେ ଜାତୀୟ ରାଜପଥ ଉପରେ ସୃଷ୍ଟି ହୋଇଥିବା ଗାତ ଯୋଗୁଁ ତିନିଟି ଗାଡ଼ି ପଡ଼ି ଦୁର୍ଘଟଣା ହୋଇଥିଲେ ବି ଘଟଣାସ୍ଥଳରୁ ଉକ୍ତ ଗାଡିଗୁକିକୁ ଉଦ୍ଧାର କରାଯାଉ ନାହିଁ କି ରାସ୍ତା ମରାମତି କରିବାର ନାଁ ନେଉନି ରାଜପଥ ବିଭାଗ। ଜାତୀୟ ରାଜପଥ ୨୬ର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ ବଲାଙ୍ଗୀରରୁ ଦେଓଗାଁ ୨୦ କିମି ରାସ୍ତାକୁ ଅତି କମରେ ଘଣ୍ଟାଏ ଲାଗୁଛି। ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ହେଉଥିଲେ ବି ରାସ୍ତା ମରାମତି ହେଉନାହିଁ ଯାହା ଫଳରେ ଯାତ୍ରୀ ମହଳରେ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ୨୬କୁ ଦେଓଗାଁ ପଟରେ ଶୀଘ୍ର ମରାମତି ନ କଲେ ଆଗାମୀ ଦିନରେ ରାସ୍ତା ରୋକ କରିବା ପାଇଁ ଅଞ୍ଚଳବାସୀ ସଜ ହେଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.