ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆପୋଲୋ ୧୧ ମିଶନର ଏକ ଅଂଶ ଭାବରେ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରରେ ଅବତରଣ କରିବାର ବାର୍ଷିକୀକୁ ସ୍ମରଣ କରିବା ତଥା ମହାକାଶ ଅନୁସନ୍ଧାନରେ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୦ରେ ‘ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ’ ପାଳନ କରାଯାଏ । ଆମେରିକୀୟ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ଏଡୱିନ୍ ‘ବଜ୍’ ଆଲଡ୍ରିନ୍ ଇତିହାସରେ ପ୍ରଥମ ମଣିଷ ହୋଇଥିଲେ ଯାହାକି ଜୁଲାଇ ୨୦, ୧୯୬୯ରେ ଚନ୍ଦ୍ରରେ ଅବତରଣ କରିଥିଲା । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ଦ୍ଵାରା ୨୦୨୧ ମସିହାରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ (ଆଇଏମ୍‌ଡି) ଘୋଷିତ ହୋଇଥିଲା, ଯାହା ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର କମିଟିର ସୁପାରିଶ କ୍ରମେ ସ୍ଥିରୀକୃତ ହୋଇଥିଲା । ଆନ୍ତର୍ଜାତୀୟ ଚନ୍ଦ୍ର ଦିବସର ପ୍ରଥମ ବିଶ୍ୱସ୍ତରୀୟ ଉତ୍ସବ ୨୦ ଜୁଲାଇ ୨୦୨୨ରେ ହୋଇଥିଲା । ଚନ୍ଦ୍ର ଗ୍ରାମ ସମ୍ମେଳନ (ଏମ୍‌ଭିଏ), ଭିଏନା ଭିତ୍ତିକ ଏନ୍‌ଜିଓ ବା ବେସରକାରୀ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ଚନ୍ଦ୍ରରେ ଏକ ଅଂଶୀଦାର ଭିତ୍ତିଭୂମି ନିର୍ମାଣ ପାଇଁ ବୈଜ୍ଞାନିକ, ଇଞ୍ଜିନିୟର, ସରକାରୀ ତଥା ବେସରକାରୀ ନିବେଶକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ହେତୁ ଏହି ପାଳନ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ହେଲା । ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ଚନ୍ଦ୍ର ମିଶନ ଆରମ୍ଭ କରିଥିଲେ । ୨୦୨୪ର ବିଷୟବସ୍ତୁ ହେଉଛି ‘ଛାୟାଗୁଡ଼ିକୁ ଆଲୋକିତ କରିବା’ । ଏହାର ଲକ୍ଷ୍ୟ ହେଉଛି ନିରନ୍ତର ଚନ୍ଦ୍ର ଅନୁସନ୍ଧାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏବଂ ନିରନ୍ତର ଚନ୍ଦ୍ର ଅନୁସନ୍ଧାନରେ ଆନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ।

Leave A Reply

Your email address will not be published.