ଅଟୋକୁ ଧକ୍କା ଦେଲା ଟ୍ରକ୍ : ଡ୍ରାଇଭର୍ ସମେତ ୫ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକ ନିକଟରେ ଆଜି ଭୋର୍ ସମୟରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ସୂଚନାନୁଯାୟୀ, ମୃତକମାନେ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମର ଆଦିକନ୍ଦ ସାମଲ, ବଣ୍ଟି ସାମଲ, ପହଲି ସାମଲ, ଅଙ୍କୁର ସାମଲ ଓ ଅଙ୍କୁରଙ୍କ ୧୦ବର୍ଷର ପୁଅ କାଳିଆ ସାମଲ । ଏମାନେ ସମସ୍ତେ ଆଜି ଭୋର ସମୟରେ ମୁକ୍ତାପଶି ଗ୍ରାମକୁ ମହୁଲ ଟୋଲ ପେଡେଇବା ପାଇଁ ଅଟୋ ଯୋଗେ ଯାଉଥିଲେ । ଏତିକି ବେଳେ ୫୩ ନମ୍ଵର ଜାତୀୟ ରାଜପଥ ମୁକ୍ତାପଶି ଗ୍ରାମ ନିକଟରେ ତାଳଚେରରୁ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭର୍ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ କାମାକ୍ଷାନଗର ପୁଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ଟ୍ରକ୍‌କୁ ଜବତ କରିଛି । ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର୍‌ ହୋଇଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଜୀବନ ଚାଲି ଯାଇଥିବାରୁ ବାଙ୍ଗୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.