ଦୀପାଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ : ବର୍ଷ ବର୍ଷ ଧରି ଉପେକ୍ଷିତ ଥିବା ଟେମରିରୁ ଗୋଇବାହାଲି ପର୍ଯ୍ୟନ୍ତ ହେବ ପ୍ରଧାନମନ୍ତ୍ରୀ ସଡ଼କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସାଧାରଣ ନାଗରିକ ଚାହିଁଲେ ଅସାଧାରଣ କାମ ମଧ୍ୟ ସିଦ୍ଧ ହୋଇଯାଏ । ଅସମ୍ଭବ ଲାଗୁଥିବା କାର୍ୟ୍ୟ ସମ୍ଭବ ହୋଇଥାଏ । ନିରନ୍ତର ଚେଷ୍ଟା ତଥା ଉତ୍ସର୍ଗୀକୃତଏବଂ ନିଃସ୍ୱାର୍ଥପର ସେବା ମନୋଭାବ ନେଇ ଏହାର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ଦୀପା ବାରିକ । ତାଙ୍କ ପ୍ରଚେଷ୍ଟା ଫଳରେ ଆଜି ଅଞ୍ଚଳବାସୀ ଦେଖିବେ ବିକାଶର ସ୍ୱପ୍ନ । ଗମାଗମନରୁ ବିଚ୍ୟୁତ ଥିବା ଲୋକେ ପାଇପାରିବେ ପକ୍କା ସଡ଼କର ଅନୁଭୂତି । ମୋଟାମୋଟି ଭାବେ କହିବାକୁ ଗଲେ ଅନେକ ବର୍ଷରୁ ଲୋକଙ୍କ ଅଭିଳାଷ ପୂର୍ଣ୍ଣ ହେବାକୁ ଯାଉଛି । ଏକଦା ଚିର ଅବହେଳିତ ଥିବା ଟେମରି ଗ୍ରାମରୁ ଗୋଇବାହାଳି ପର୍ୟ୍ୟନ୍ତ ଥିବା ରାସ୍ତାଟିକୁ ଦୀପାଙ୍କ ନିରନ୍ତର ପ୍ରୟାସ ଫଳରେ ପ୍ରଧାନମନ୍ତ୍ରୀ ସଡ଼କରେ ସାମିଲ କରାଯାଇଛି ।
ଏଠାରେ ପ୍ରକାଶ ଥାଉ କି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରୀ ଗ୍ରାମରୁ ପଲସଦା ଗ୍ରାମ ପର୍ୟ୍ୟନ୍ତ ଏକ ରାସ୍ତା ଅଛି ଯାହାକି ବର୍ଷାମାସେ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡେ । ଟେମରୀ ଗ୍ରାମରୁ ପଲସଦା ଗ୍ରାମକୁ ଲୋକେ ସଦାସର୍ବଦା ଯାତାୟାତ କରିଥାନ୍ତି, ଯାହାର ଅନେକ କାରଣ ରହିଅଛି । ପଲସଦା ଠାରେ ସମବାୟ କେନ୍ଦ୍ର ରହିଛି, ଯାହାଦ୍ୱାରା ସମସ୍ତେ ସେଠାକୁ ଯିବା ପାଇଁ ଅନିବାର୍ୟ୍ୟ ହୋଇପଡେ । ସିଧାସିଧା ଗଲେ ଟେମରୀ ରୁ ପଲସଦା ଗ୍ରାମକୁ ପଡେ ୭ କିଲୋମିଟର । କିନ୍ତୁ ବର୍ଷାହେଲେ ଏହି ସାମୟିକ ରାସ୍ତାରେ ଯାତାୟାତ ସମ୍ଭବପର ହୁଏନାହିଁ । ଅପରପକ୍ଷରେ ବୁଲିକି ଗଲେ ପ୍ରାୟ ୨୫ କିଲୋମିଟର ରାସ୍ତା ପଡିଥାଏ ଯାହାକି ତୁଳନା କଲେ ବହୁତ ବେଶୀ । ଗରିବ ନିରୀହ ଲୋକେ ବୁଲିକି ଯିବାପାଇଁ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି । ଗମାନଗମାନ ସକାଶେ ଏହି ରାସ୍ତାରେ ନିର୍ଭରଶୀଳ ଥିବା ତିନୋଟି ପଂଚାୟତର ଲୋକେ ବିଭିନ୍ନ ସମୟରେ ବିଭିନ୍ନ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନଠାରେ ନେହୁରା ହୋଇଛନ୍ତି କିନ୍ତୁ କୌଣସି ସଫଳତା ମିଳିନାହିଁ । ବର୍ତମାନ ଏହି ସମସ୍ୟାର ସମାଧାନ ନିମନ୍ତେ ଟେମରୀ ଗ୍ରାମର ଏକ ଯୁବତୀ ଦୀପା ବାରିକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମ ଅଭିଯୋଗ ପ୍ରକୋଷ୍ଠରେ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲେ, ଯାହାକୁ ଗୁରୁତ୍ୱ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନା ବରଗଡ଼ ଜିଲ୍ଲାପାଲଙ୍କୁ ନିର୍ଦେଶ ଦେଇଥିଲେ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମାତ୍ର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହାର ଉତ୍ତର ଦେଇନଥିଲେ ।

ଏହା ଉପରେ ଏକ ବିସ୍ତୃତ ରିପୋର୍ଟ ‘କୋଶଲ ପ୍ରବାହ’ରେ “ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ଜିଲ୍ଲାପାଳ”ଶୀର୍ଷକରେ ପ୍ରକାଶିତ ହୋଇଥିଲା । ଏହି ଲେଖାକୁ ଦୀପା ପୁଣିଥରେ ଟ୍ୱିଟ କରିଥିଲେ, ଯାହାର ପ୍ରତ୍ୟୁତ୍ତର ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ଟେମରିରୁ ଗୋଇବାହାଲି ପର୍ୟ୍ୟନ୍ତ ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ୩ ରେ ସାମିଲ କରାଯାଇଛି ଏବଂ ଶୀଘ୍ର ଔପଚାରିକତା ପରେ କାମ ଆରମ୍ଭ କରାଯିବ ।
ଏହି ଖବର ଜାଣିବା ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଦୀପାଙ୍କ ପ୍ରୟାସ ପାଇଁ ଲୋକେ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.