ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରାଣୀଧନ କ୍ଷେତ୍ରରେ ପ୍ରଥମ କରି ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ; ଏହା ଦ୍ୱାରା ଏହି ବ୍ୟାପାରରେ ସଂଶ୍ଳିଷ୍ଟ ଏମ୍ଏସ୍ଏମଇ ଉଦ୍ୟୋଗ ସମୂହ ଉପକୃତ ହେବେ
- ପ୍ରାଣୀଧନ କ୍ଷେତ୍ରକୁ ବିନା ବନ୍ଧକରେ ଋଣ ପ୍ରଦାନ କରିବାକୁ ଏହି ଯୋଜନା ସହାୟକ ହେବ
- ଏହି ଯୋଜନା ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଋଣ ଯୋଗାଣ ବ୍ୟବସ୍ଥାକୁ ସହଜ ଏବଂ ଜଞ୍ଜାଳମୁକ୍ତ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ
- ମୋଟ ପ୍ରକଳ୍ପ ଖର୍ଚ୍ଚର ୯୦ଶତାଂଶ ଅର୍ଥ ଉପରେ ୩ ଶତାଂଶ ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ; ରିଜର୍ଭ ବ୍ୟାଙ୍କର ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଓ ଜାତୀୟ ସମବାୟ ବିକାଶ ନିଗମ ଏହି ଋଣ ଯୋଗାଇବେ
ନୂଆଦିଲ୍ଲୀ, (ପି.ଆଇ.ବି.) : ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ପଶୁ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ପ୍ରଥମ କରି ପ୍ରାଣୀଧନ କ୍ଷେତ୍ରରେ ଏହି ଋଣ ଯୋଗାଣ ସୁନିଶ୍ଚିତ ନୀତି (କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ)କୁ ଲାଗୁ କରିଛି । ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏନ୍ ଆଇଡିଏଫ୍) ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏହା ଫଳରେ ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଓ ଉଦ୍ୟୋଗୀ ବ୍ୟାଙ୍କ ଋଣ ଗ୍ୟାରେଣ୍ଟି ପାଇବେ । ସେମାନଙ୍କୁ ବିନା ବନ୍ଧକରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଏବଂ ଜାତୀୟ ସମବାୟ ବିକାଶ ନିଗମରୁ ଋଣ ସହାୟତା ମିଳିବ । ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ, ଚାଷୀ ସହଜରେ ବ୍ୟାଙ୍କ ଋଣ ପାଇବେ ଏବଂ ଅର୍ଥାଭାବରୁ ବ୍ୟାବସାୟିକ କ୍ଷତିର ଆଶଙ୍କା ଦୂର ହେବ । ଋଣ ଗ୍ୟାରେଣ୍ଟି ସୁବିଧା ମିଳିବା ପରେ ଏହି କ୍ଷେତ୍ରରେ ଋଣ ପାଇବା ଜଂଜାଳର ଅବସାନ ଘଟିବ ।
ଏଥିପାଇଁ ପଶୁସମ୍ପଦ ବିଭାଗ ୭୫୦କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିଛି । ଏହି ପାଣ୍ଠିରୁ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀଙ୍କୁ ୨୫% ର ଋଣ ଗ୍ୟାରେଣ୍ଟି ସୁଯୋଗ ଦିଆଯିବ । ପ୍ରତ୍ୟେକ ଋଣ ଉପରେ ସୁଧ ଛାଡର ମଧ୍ୟ ସୁବିଧା ରହିଛି । ମୋଟ ପ୍ରକଳ୍ପ ଖର୍ଚ୍ଚର ୯୦ଶତାଂଶ ଋଣ ଅର୍ଥ ଉପରେ ୩ ଶତାଂଶ ସୁଧ ଛାଡ ମିଳିବ । ଯେଉଁ ଅଞ୍ଚଳରେ ପଶୁଧନ ଓ ପଶୁ ସମ୍ପଦର ବିକାଶ ଘଟିନାହିଁ ଏବଂ ଯେଉଁମାନେ ଏହି ଉଦ୍ୟୋଗର ପ୍ରଥମ ପିଢିର ଉଦ୍ୟୋଗୀ ସେମାନଙ୍କୁ ଏହି ଋଣ ଗ୍ୟାରେଣ୍ଟି ଯୋଜନାରେ ଅଗ୍ରାଧିକାର ମିଳିବ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଯେଉଁ ଋଣ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଗଠନ କରାଯାଇଛି ସେଥି ପାଇଁ ୧୫ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ରହିଛି । ସେଥିରୁ ଦୁଗ୍ଧ, ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ପାଇଁ ୭୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀ ଓ ଉଦ୍ୟୋଗ ମାନଙ୍କୁ ବିଭିନ୍ନ ବ୍ୟାବସାୟିକ କାମ ପାଇଁ ଏହି ଋଣ ଗ୍ୟାରେଣ୍ଟି ମିଳିବ । ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟନିର୍ମାଣ, ମାଂସ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ, ପଶୁଖାଦ୍ୟ ପ୍ରସ୍ତୁତି ପ୍ଲାଣ୍ଟ ନିର୍ମାଣ, ବ୍ରିଡ ବା ବିଭିନ୍ନ ଜାତିର ପଶୁପକ୍ଷୀଙ୍କ ବଂଶ ବିସ୍ତାର ଫାର୍ମ ପ୍ରତିଷ୍ଠା, ପଶୁପକ୍ଷୀଙ୍କ ମଳମୂତ୍ରରୁ ଖତସାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ଏବଂ ପଶୁପକ୍ଷୀଙ୍କ ପାଇଁ ଟିକା ଓ ଔଷଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସମ୍ପୃକ୍ତ ଉଦ୍ୟୋଗୀ କିମ୍ବା ଉଦ୍ୟୋଗୁ ଏହି ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ । କୃଷକ ଉତ୍ପାଦକ ସଂଘମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।
ଏହି କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ ଫଣ୍ଡ ୨୦୨୧ ମାର୍ଚ୍ଚରେ ଗଠିତ ହୋଇଥିଲା । ପଶୁସମ୍ପଦ ବିଭାଗରେ ଏଧରଣ ଏହା ପ୍ରଥମ । ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ବିନା ବନ୍ଧକରେ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦେବାକୁ ଏହା ଉଦ୍ଦିଷ୍ଟ । ଏଥିପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ପୋର୍ଟାଲ ଗଠନ କରାଯାଇଛି । ଏଥିରେ କେଉଁମାନେ ଋଣ ପାଇବାକୁ ଯୋଗ୍ୟ ଏବଂ କେଉଁ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କରୁ ଋଣ ମିଳିବ ତାହାର ତଥ୍ୟ ରହିଛି । ଏହାଛଡା ଋଣ ପରିଶୋଧ, ସୁଧ ଛାଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ ସୂଚନା ଦିଆଯାଇଛି । ଏହା ଦ୍ୱାରା ପ୍ରାଣୀଧନ କ୍ଷେତ୍ର ବିଶେଷ ଉପକୃତ ହେବ ବୋଲି ଆଶା କରାଯାଉଛି ।
ଏଏଚ୍ ଆଇଡିଏଫ୍ ସ୍କିମର ବୈଶିଷ୍ଟ୍ୟ
• ଋଣ ଉପରେ ୩% ସୁଧ ଛାଡର ସୁବିଧା ।
• ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଅର୍ଥ ଋଣ ଆକାରରେ ଯେକୌଣସି ସୂଚିତ (ସିଡ୍ୟୁଲ୍ଡ) ବ୍ୟାଙ୍କ, ଜାତୀୟ ସମବାୟ ବିକାଶ ନିଗମ (ଏନ୍ସିଡିସି)ରୁ ମିଳିପାରିବ ।
ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲଗ୍ ଅନ୍ କରନ୍ତୁ :
https://dahd.nic.in// ଏବଂ https://ahidf.udyamimitra.in/