ଲୋୟର୍‌ ସୁକ୍‌ତେଲ୍‌ ପ୍ରସଙ୍ଗ : ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପରେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ବିଜେଡ଼ି ଯୁବନେତା ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ସୂଚାନଯୋଗ୍ୟ ଯେ, ବାଲାଙ୍ଗିରର ଲୋୟର ସୁକତେଲ ପ୍ରକଳ୍ପ ପୁଣି ଏବେ ରାଜନୀତିର ପଶାପାଲିରେ ଗଡୁଥିବା ଦେଖା ଯାଉଛି । ଶାସକ ଓ ବିରୋଧୀଙ୍କ ବାଦ ପ୍ରତିବାଦ, କାଦୁଅ ଫିଙ୍ଗାଫିଙ୍ଗିରେ ଦୁଇ ବର୍ଷ କାମ ବନ୍ଦ ହୋଇ ପ୍ରସଙ୍ଗ ସୁପ୍ତ ପ୍ରାୟ ଥିଲା । କିଛି ଦିନ ତଳେ ବଲାଙ୍ଗିର ବିଧାୟକଙ୍କ ନେତୃତ୍ୱରେ ଏକ ସାତ ଜଣିଆ କମିଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଓ କାମ ଆରମ୍ଭ ନହେଲେ ଆନ୍ଦୋଳନର ଧମକ ଦେଲା ପରେ ହଠାତ୍‌ ଏହି ପ୍ରସଙ୍ଗ ପୁଣି ଜାଗି ଉଠିଛି । ଆଜି ପୂର୍ବତନ ସାଂସଦ ତଥା ସରକାରୀ ଦଳର ବରିଷ୍ଟ ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂ ଦେଓ ଚିଠି ମାଧ୍ୟମରେ ଲୋୟର ସୁକତେଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।


ସୂଚନା ଅନୁସାରେ, ଆଜି କଳିକେଶ ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଦାବୀ ଜଣାଇଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗିରର ଜୀବନରେଖା ଅଟେ । କାମ ପାଇଁ ଅତ୍ୟନ୍ତ ବିଳମ୍ବ ହେବାରୁ ପ୍ରକଳ୍ପ ପ୍ରାୟ ନିସ୍ତେଜ ହୋଇ ପଡି ରହିଛି । ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ସାଙ୍ଗକୁ ସ୍ଥାନୀୟ ବିରୋଧୀଙ୍କ ଦ୍ୱାରା ବାରମ୍ବାର ପ୍ରକଳ୍ପ କାର୍ଯ୍ୟ ପ୍ରଭାବିତ ହୋଇଛି । ସାଧାରଣତଃ ବଲାଙ୍ଗିର ଗୋଟିଏ ମରୁଡ଼ି ପ୍ରଭାବିତ ଅଂଚଳ ଯେଉଁଠି ଜଳସେଚନ ବ୍ୟବସ୍ଥା ଖୁବ କମ୍‌ । ଏହି ପ୍ରକଳ୍ପ ଏହି ଅଂଚଳର ସିଂହ ଭାଗକୁ ଜଳସେଚି଼ତ କରିପାରିବ । ତେଣୁ ଏହି ପ୍ରକଳ୍ପ ପାଇଁ ଦୃଢ ଇଛାଶକ୍ତି ଓ ମାନବୀୟ ଦୃଷ୍ଟିକୋଣ ଆବଶ୍ୟକ । କିନ୍ତୁ ଏଯାଏଁ ଜମି ଅଧିଗ୍ରହାଣ ଓ ବିସ୍ଥାପନ ବ୍ୟବସ୍ଥା, ସ୍ଥାନୀୟ ବିରୋଧୀଙ୍କ ଭୂମିକା ଓ ପ୍ରସାସନିକ ଅନିଛା ପାଇଁ ପ୍ରକଳ୍ପ ବାରମ୍ବାର ବନ୍ଦ ହୋଇ ଆସିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ହସ୍ତକ୍ଷେପ କରି କାମ ତୁରନ୍ତ ଆରମ୍ଭ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଚିଠିରେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.