ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୬ ବର୍ଷ ପରେ ବି ବଦଳୁନି ସାର୍ଟିଫିକେଟର ଭୁଲ ଜନ୍ମ ତାରିଖ : ଛାତ୍ରୀ ହଇରାଣ
ବଲାଙ୍ଗିର, (କେପିଏନ୍ଏସ୍) : ସାର୍ଟିଫିକେଟରେ ଭୁଲ ଜନ୍ମ ତାରିଖ ଯୋଗୁଁ ଜଣେ ଛାତ୍ରୀ ଅନେକ ହଇରାଣ ହେଉଥିବା ନଜରକୁ ଆସିଛି । ଏପରିକି ଗତ ୬ ବର୍ଷ ହେଲା ସେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ବେଳେ ବୋର୍ଡର ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଭୁଲ ତାରିଖ ବସାଯାଇ ସାର୍ଟିଫିକେଟ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଏବେ ଛାତ୍ରୀଙ୍କ ପରିବାର କୋର୍ଟର ଆଶ୍ରୟ ନେବେ ବୋଲି ଶେଷରେ ଚେତାବନୀ ଦେଇଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ, ବଲାଙ୍ଗିରର ଗୋଲାପ ବାଗ ଓ ସରିତା ବାଗଙ୍କ ଝିଅ ସୁଶ୍ରୀ ପ୍ରୀୟଦର୍ଶିନୀ ବାଗ ଗତ ୨୦୧୪ ମସିହାରେ ବଲାଙ୍ଗିର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନମନ୍ଦିରରୁ ମାଟ୍ରିକ ପାସ କରିଥିଲେ । ତାଙ୍କୁ ବୋର୍ଡ ପକ୍ଷରୁ ଦିଆଯାଇଥିବା ସାର୍ଟିର୍ଫିକେଟରେ ଜନ୍ମତାରିଖ ଭୁଲ ଦର୍ଶାଯାଇ ୧୯୯୯ ମସିହା ଜାନୁୟାରୀ ୫ ତାରିଖରେ ତାଙ୍କର ଜନ୍ମ ବୋଲି ଉଲ୍ଲେଖ କରାଯାଇଛି । କିନ୍ତୁ ପ୍ରକୃତରେ ତାଙ୍କର ଜନ୍ମତାରିଖ ୯ ଅଗଷ୍ଟ ୧୯୯୭ ଅଟେ । ଏହି ତୃଟି ବିଷୟରେ ସେତେବେଳେ ସ୍କୁଲ ପକ୍ଷରୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇ ତୃଟି ସଂଶୋଧନ କରିବାକୁ ଜଣାଇଥିଲେ । କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ତୃଟି ସଂଶୋଧନ ନକରି ସେହି ପୁରୁଣା ଜନ୍ମ ତାରିଖ ବସାଇ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ପାଇଁ ଛାତ୍ରୀ ଜଣକ ମାନସିକ ଚିନ୍ତାରେ ରହୁଛନ୍ତି । ସେ ମାଟ୍ରିକ ପରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଏବେ ରମାଦେବୀ କଲେଜରେ ପିଜି ପାଠ ପଢୁଛନ୍ତି । ସାର୍ଟିର୍ଫକେଟରେ ଭୁଲ ଜନ୍ମ ତାରିଖ ଯୋଗୁଁ ସେ ଅନେକ ସମୟରେ ହଇରାଣ ହେଉଛନ୍ତି । ଅନେକ ଥର ଲିଖିତ ଅଭିଯୋଗ ପରେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ଏହି ସମସ୍ୟାର କୌଣସି ସମାଧାନ କରୁନାହାଁନ୍ତି । କେବଳ ପ୍ରିୟଦର୍ଶିର୍ନୀଙ୍କର ନୁହଁ, ଆହୁରି ଅନେକ ଛାତ୍ରଛାତ୍ରୀଙ୍କର ଏଭଳି ସମସ୍ୟା ହୋଇଥିବା ଓ ବୋର୍ଡ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ ଉଠୁଛି । ଫଳରେ ଶେଷରେ ପ୍ରୀୟଦର୍ଶିର୍ନୀଙ୍କ ପିତା ସଦର ବ୍ଲକର ଅଧ୍ୟକ୍ଷ ଥିବା ଗୋଲାପ ବାଗ କୋର୍ଟର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ।