ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି କାର୍ଯ୍ୟାଳୟରେ ସାରର ଅଭାବୀ ଯୋଗାଣକୁ ନେଇ ସରକାର ବିରୋଧୀ ନାରାବାଜି କରିଛନ୍ତି । ଚଳିତ ଖରିଫ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୮ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ମାତ୍ର ୪୨୦୦ ମେଟ୍ରିକ୍ ଟନ୍ ୟୁରିଆ ଆସିଛି । ଅଭାବୀ ଯୋଗାଣର ସୁଯୋଗ ନେଇ ଜିଲ୍ଲାରେ ୟୁରିଆ ସାରର କଳାବଜାର ସାଂଘାତିକ ଭାବେ ଚାଲିଥିବାର ଅଭିଯୋଗ ହୋଇଛି । ବସ୍ତା ପିଛା ସରକାରୀ ଧାର୍ଯ୍ୟଦର ୨୬୬ ଟଂକା ରହିଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୫ଶହରୁ ୭ଶହ ଟଂକାରେ ବିକ୍ରି କରି ବେପାରୀମାନେ ମୁନାଫା ଉଠାଉଛନ୍ତି । ୟୁରିଆ ସାରର କଳାବଜାର ଓ ଅସାଧୁ କାରବାରକୁ ନେଇ ଇତି ମଧ୍ୟରେ ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲାର ୪ଟି ପ୍ୟାକ୍ସର ସଂପାଦକ ଓ ୯ଟି ସାର ରିଟେଲରଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ୟୁରିଆ ସାରର ଅଭାବ ଓ କଳା ବଜାରକୁ ନେଇ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ସ୍ମାରକ ପତ୍ର ଦିଆ ଯାଇଛି । ଆଗାମୀ ୩ଦିନ ମଧ୍ୟରେ ଜିଲ୍ଲାରେ ପର୍ଯ୍ୟାପ୍ତ ୟୁରିଆ ସାର ନମିଳିଲେ ଚାଷୀ ଆନ୍ଦୋଳନକୁ ତୀବ୍ର କରାଯାଇ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ଜିଲ୍ଲା କୃଷକ ସଂଗଠନର ସଂପାଦକ ରାଜେନ୍ଦ୍ର ନାଏକ ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ୟୁରିଆ ସାରର ଅଭାବୀ ସ୍ଥିତିକୁ ସ୍ବୀକାର କରିଥିବାବେଳେ ସ୍ବାଭାବିକ ଯୋଗାଣ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.