ଯାତ୍ରା ଜଗତର ବାଦ୍‌ସା’ ଭିକୁ ସେଠ୍‌ ଆଉ ନାହାନ୍ତି

କଟକ : ବରିଷ୍ଠ ଯାତ୍ରା କଳାକାର ତଥା ଯାତ୍ରା ଜଗତର ବାଦ୍‌ସା’ ମହେନ୍ଦ୍ର ଦାସ ଓରଫ୍‌ ଭିକୁ ସେଠ୍‌ ଆଉ ନାହାନ୍ତି । କଟକ ଚୌଦ୍ୱାରରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତି ହୋଇଯାଇଛି । ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ସାରା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ହସ୍‌ପିଟାଲ୍‌କୁ ନିଆଯାଉଥିଲା । କିନ୍ତୁ ହସ୍‌ପିଟାଲ୍‌ ନିଆଯିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଦୀର୍ଘ ୩୦ ବର୍ଷର ବହୁ ଚର୍ଚ୍ଚିତ ମଂଚ କଳାକାର ମହେନ୍ଦ୍ର ଦାସ ଦର୍ଶକମାନଙ୍କ ଭିତରେ ଆସ୍ଥାନ ଜମେଇ ରହିଥିଲେ । ସବୁବେଳେ ଖଳନାୟକ ଭୂମିକାରେ ଆଚମ୍ବିତ କରି ପକାଉଥିଲେ ଦର୍ଶକଙ୍କୁ । ଯାତ୍ରା ଜଗତର ବହୁଚର୍ଚ୍ଚିତ ନାଟକ ‘ଶାଗୁଣା ବସିଛି ଡେଣା ମେଲେଇ’ରେ ବେଶ୍‌ ପ୍ରସିଦ୍ଧି ପ୍ରାପ୍ତ ହୋଇ ପାରିଥିଲେ । ସେହି ନାଟକର ସଂଳାପ ଏବେ ବି ସମୟ ସମୟରେ ଦର୍ଶକମାନଙ୍କ ପାଟିରୁ ବାହରିପଡେ଼ । କଳିଙ୍ଗ ଗଣନାଟ୍ୟରେ ସେ ଦୀର୍ଘଦିନ ଧରି କାମ କରିଥିବା ବେଳେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ବେଶ୍‌ ଗୌରବ ଅର୍ଜନ କରି ପାରିଥିଲା । ତେବେ କେବଳ କଳିଙ୍ଗ ଗଣନାଟ୍ୟ ନୁହେଁ, ପାର୍ବତୀ ଗଣନାଟ୍ୟ ଏବଂ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରି ତାଜୁବ୍‌ କରି ଦେଇଛନ୍ତି ଦର୍ଶକମାନଙ୍କୁ ।

Leave A Reply

Your email address will not be published.