୯୦ ବର୍ଷୀୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ୬୦ ବର୍ଷରୁ ଅଧିକ ହେଲେ ୫ ଶହ ଓ ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କ ପାଇଁ ମାସିକ ୭ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ତେବେ ଆଜି ମଧ୍ୟ ଗ୍ରାମାଞ୍ଚଳର ଅନେକ ନିରୀହ ଗରିବ ଲୋକେ ସରକାରଙ୍କ ଏଭଳି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହିଥିବା ଜଣାଯାଇଛି । କିଛି ଜନପ୍ରତିନିଧି ଭତ୍ତା କରାଇ ଦେବା ନାମରେ ଏପରି ଗରିବ ଲୋକଙ୍କୁ ଆର୍ଥିକ ଭାବେ ଶୋଷଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ଅଧିନ ସାନଟୀକା ଗ୍ରାମରେ । ସାନଟୀକା ଗ୍ରାମର ସ୍ବର୍ଗତ ସହଦେଵ ନାଏକଙ୍କ ସ୍ତ୍ରୀ ବାଲମତି ନାଏକ । ବୟସ ପ୍ରାୟ ୯୦ ବର୍ଷ । ଜୀବନର ସାୟାହ୍ନରେ ପହଁଚିଥିବା ବୃଦ୍ଧା ବାଳମତି ନିଜ ପୁଅ ତାଳଧ୍ୱଜଙ୍କ ସହିତ ରହନ୍ତି । ପାଞ୍ଚ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ସହାୟତା ମିଳି ନଥିବା ବାଲମତି ପ୍ରକାଶ କରିଛନ୍ତି । ଏପରିକି ମୃତ୍ୟୁ ବେଳକୁ ତାଙ୍କ ବାପାଙ୍କ ବୟସ ୯୫ ବର୍ଷ ହୋଇଥିଲେ ହେଁ ସେ କୌଣସି ଭତ୍ତା ପାଉ ନ ଥିଲେ ବୋଲି ତାଳଧ୍ୱଜ ପ୍ରକାଶ କରିଛନ୍ତି । ଏବେ ତାଙ୍କ ବିଧବା ମାଆଙ୍କୁ ୯୦ ବର୍ଷ । ବାପାଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ମଧ୍ୟ ତାଙ୍କ ମାଆ ବିଧବା ଅଥବା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିବାବେଳେ ଏଭଳି ସରକାରୀ ଯୋଜନା କାହାପାଇଁ ବୋଲି ତାଳଧ୍ୱଜ କ୍ଷୋଭର ସହିତ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, ପଂଚାୟତର ନାଏବ ସରପଞ୍ଚ ଦୁଖନାଶନ ନାଏକ ତାଙ୍କ ମାଆଙ୍କ ଭତ୍ତା କରାଇ ଦେବା ନାଁ ରେ ବିଭିନ୍ନ ପର୍ୟ୍ୟାୟରେ ତାଙ୍କ ଠାରୁ ୩ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ଥର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ବାଲମତି ସେଥିରୁ ବଞ୍ଚିତ ରହିଥିବା ତାଳଧ୍ୱଜ ପ୍ରକାଶ କରିବା ସହିତ ଖୁବ ଶୀଘ୍ର ସେ ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.